ଗାଁକୁ ନାହିଁ ପକ୍କା ରାସ୍ତା, ପହଞ୍ଚି ପାରୁନି ଆମ୍ବୁଲନ୍ସ : ନିଦାବିଷ୍ଣୁ ପାଲଟିଛି ପ୍ରଶାସନ

ନନ୍ଦିଘୋଷ ବ୍ୟୁରୋ: ସ୍ୱାଧିନତାର ୭୭ ବର୍ଷ ପରେ ମଧ୍ୟ ରାସ୍ତା, ପିଇବା ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ସେହିପରି ରାୟଗଡ଼ା ଜିଲ୍ଲାର ସଦର ବ୍ଳକର ନାକ ତଳ ଶାରାପାଡ଼ି ଗାଁକୁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ ପକ୍କା ରାସ୍ତା । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାଲଖମା ପାହାଡ଼ି ରାସ୍ତାରେ ଲୋକେ ଯାତାୟତ କରୁଥିବା ବେଳେ ରାସ୍ତା ମଧ୍ୟରେ ରହିଥିବା ନଦୀରେ ପୋଲ ନଥିବାରୁ ଲୋକେ ପାଣିରେ ପଶି ବିପଦ ଶଙ୍କୁଳ ଅବସ୍ଥାରେ ନଦୀପାର ହେଉଛନ୍ତି । ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ ମିଳୁଛି କେବଳ ମିଥ୍ୟା ପ୍ରତିଶୃତି ।

ଗାଁକୁ ନାହିଁ ପକ୍କା ରାସ୍ତା । ଆବଡ଼ାଖାବଡ଼ା ରାସ୍ତାରେ ଯାତାୟତ କରୁଛନ୍ତି ଉପାନ୍ତ ଅଞ୍ଚଳ ଲୋକେ । ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ । ରାସ୍ତା ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ରାୟଗଡ଼ା ସଦର ବ୍ଳକ ତାଡ଼ମା ପଞ୍ଚାୟତର ଶାରାପାଡ଼ି ଗାଁ ଲୋକେ । ଏହି ଆବଡ଼ାଖାବଡ଼ା ପାହାଡ଼ିଆ ରାସ୍ତାରେ ଚାଲିକରି ଯିବା କଷ୍ଟକର ହୋଇପଡୁଛି । ରାସ୍ତା ନଥିବା ବେଳେ ଲୋକଙ୍କ ଦୁଃଖ ବଢ଼ାଇ ଦେଉଛିଏ ରାସ୍ତା ମଧ୍ୟରେ ପ୍ରବାହିତ ନଦୀ । ପୋଲ ନଥିବାରୁ ଲୋକେ ନଦୀର ପାଣିରେ ପଶି ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇଥାନ୍ତି । ଏପରିକି ଜରୁରୀ କାଳୀନ ପରିସ୍ଥିତି ଗାଁରେ ଆମ୍ଵୁଲାନ୍ସ ପହଞ୍ଚିପାରିନଥାଏ । ଫଳରେ ରୋଗୀଙ୍କୁ ଚିକିତ୍ସା ପାଇଁ ଖଟିଆରେ ଦୀର୍ଘ ୨ କିଲୋମିଟର ବୋହି ଆଣିବାକୁ ପଡ଼ିଥାଏ । ବର୍ଷା ଦିନେ ଆସିଲେ ଲୋକଙ୍କ ଦୁଃଖ ଆହୁରି ବଢ଼ିଯାଇଥାଏ ।

୧୦୦ରୁ ଅଧିକ ଜନ ସଂଖ୍ୟା ବିଶିଷ୍ଠ ଶାରପାଡ଼ି ଗାଁ ଲୋକଙ୍କ ପାଇଁ ମୌଳିକ ସୁବିଧା ସାତସପନ ପାଲଟିଛି । ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବା ବେଳେ ସ୍କୁଲ ଯିବାକୁ ଛୋଟଛୋଟ ପିଲାମାନେ ଦୀର୍ଘ ଦୁଇ କିଲୋମିଟର ଆବଡ଼ାଖାବଡ଼ା ରାସ୍ତାରେ ଚାଲିକରି ଯାଇଥାନ୍ତି । ରାସନ ଚାଉଳ ହେଉକି ଭତ୍ତା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ପକ୍କା ରାସ୍ତାଟିଏ ପାଇଁ ଦୀର୍ଘ ବର୍ଷ ଧରି ସଂଘର୍ଷ କରୁଛନ୍ତି ଶାରାପାଡ଼ି ଗାଁ ଲୋକେ । କେବଳ ପ୍ରତିଶୃତି ପରେ ପ୍ରତିଶୃତି ମିଳୁଛି ସିନା ପକ୍କା ରାସ୍ତାଟିଏ ହୋଇପାରୁନାହିଁ ।