ହାଇୱେରେ ଖୁଲମଖୁଲା ଚାଲିଛି ବଟି କାରବାର, ପୋଲିସ ନାଁରେ ସଂଗୀନ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ହାଇୱେରେ ଖୁଲମଖୁଲା ଚାଲିଛି ବଟି କାରବାର । ଖୋଦ ପୋଲିସ କରୁଛି ବେଆଇନ କାମ । ଟ୍ରାଫିକ ନିୟମକୁ ଦଳିମକଚି ପକେଟ ଗରମନ କରିବାରେ ବ୍ୟସ୍ତ ପୋଲିସ । ଏମିତି ଖବର ଆସିଛି ଖୋର୍ଦ୍ଧା ଜାତୀୟ ରାଜପଥରୁ । ନନ୍ଦିଘୋଷ ଟିଭି କ୍ୟାମେରାରେ କଏଦ ହୋଇଛି ବଟି କାରବାରର ଏକ୍ସକ୍ଲୁସିଭ ଦୃଶ୍ୟ । ବ୍ରହ୍ମପୁରପଟୁ ୧୬ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା, ଭୁବନେଶ୍ୱର ଦେଇ ବହୁ ସଂଖ୍ୟାରେ  ଭାରିଯାନ କୋଲକାତା ଆଡ଼କୁ ଯାଇଥାଏ । ଟ୍ରାଫିକ ଭିଡ଼ ହ୍ରାସ କରିବା ପାଇଁ ସନ୍ଧ୍ୟା ସମୟରେ ଭୁବନେଶ୍ୱରକୁ ଭାରିଯାନ ଯିବା ପାଇଁ କଟକଣା ରହିଛି । ସବୁ ଟ୍ରକକୁ ଖୋର୍ଦ୍ଧା ନିକଟସ୍ଥ ପିତାପଲ୍ଲୀ ଛକରେ ଅଟକାଇ ଚନ୍ଦକା ରୋଡରେ ଛାଡ଼ି ଦିଆଯାଏ ।

ଟ୍ରାଫିକ ଜାମ ଥିଲେ ଭାରିଯାନକୁ ରାତି ୧୧ଟା ପର୍ଯ୍ୟନ୍ତ ଅଟକ ରଖାଯାଏ । ବର୍ତ୍ତମାନ କିନ୍ତୁ ପୋଲିସ ବଟି ନେଇ ସେଇ ଟ୍ରକ ସବୁ ଛାଡ଼ି ଦେଉଛି । ନନ୍ଦିଘୋଷ ଟିଭି ହାତରେ ଲାଗିଛି କମିଶନରେଟ ପୋଲିସ ଟ୍ରକରୁ ବଟି ନେବା ସମୟର ଚିତ୍ର । ଚୁପକିନା ଡ୍ରାଇଭର ବଢାଇ ଦେଉଛି, ଆଉ ପୋଲିସ ବାବୁ ନ ଜାଣିଲା ପରି ପକେଟରେ ରଖି ଟ୍ରକକୁ ଛାଡ଼ି ଦେଉଛନ୍ତି । ସନ୍ଧ୍ୟା ସମୟରେ ଟ୍ରାଫିକ ଜାମ ପରିସ୍ଥିତି ଉପୁଜୁଥିବାରୁ ଭୁବନେଶ୍ୱରକୁ କୌଣସି ଭାରିଯାନ ଛାଡ଼ିବା ଉପରେ ସରକାରଙ୍କ ନିଷ୍ପତ୍ତିକୁ କମିଶନରେଟ ପୋଲିସ ଏଠି ଦଳିମକଚି ଦେଉଛି । ପୋଲିସ ବଟି ନେଇ ଟ୍ରକ ଛାଡ଼ି ଦେଉଛି । ଆମେ ଯାହା ଶୁଣିବାକୁ ପାଇଲୁ ଏହି ବଟି କାରବାର କୁଆଡେ ବଡ ଅଧିକାରୀଙ୍କ ଜାଣତରେ ଚାଲୁଛି ।