କଲବଲ କରୁଛି ତାତି ; ଆଜି ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ଡହ ଡହ ଖରା ସହ କଲବଳ କରୁଛି ତାତି । ମୌସୁମୀ ବର୍ଷାର ଲୁଚକାଳୀ ଖେଳ ମଧ୍ୟରେ ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଲୋକେ । ଗତ ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ପୁଣି ବଢିଛି ତାତି । ତାତି ବଢୁଥିବା ବେଳେ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି କଲା ପାଣିପାଗ ବିଭାଗ। ଏବେ ତାତିର ତାଉରେ ଜଳିବ ଓଡିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି । ଆଜି ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ଵରର ତାପମାତ୍ରା ୩୪ ଦଶମିକ ୮ ଡିଗ୍ରୀ ପାର କରି ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ପୁରୀରେ ୩୪ ଦଶମିକ ୬ ଡିଗ୍ରୀ, ଭୁବନେଶ୍ଵର ଓ ଚାନ୍ଦବାଲିରେ ୩୩ ଦଶମିକ ୪ ଡିଗ୍ରୀ, ପାରାଦୀପରେ ୩୨ ଦଶମିକ ୮ ଡିଗ୍ରୀ ଓ ଗୋପାଳପୁରରେ ୩୨ ଦଶମିକ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ପ୍ରବଳ ଗରମରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଅସହ୍ୟ ଗରମ ସହ ଝାଞ୍ଜି ପବନ ବହୁଛି । ଘରୁ ବାହାରିବା କଷ୍ଟକର । ଅସହ୍ୟ ଗୁଳୁଗୁଳିରେ ଅଣନିଶ୍ବାସୀ ହେଇପଡୁଛନ୍ତି ଲୋକେ । ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଯେମିତି ଆକାଶରୁ ଖସୁଛି ନିଆଁ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି ।