ନନ୍ଦିଘୋଷ ବ୍ୟୁରୋ: ଲଘୁଚାପ ବର୍ଷାରେ ବଲାଙ୍ଗୀର ଟିଟିଲାଗଡ଼ରେ ଧାନ ଫସଲ ନଷ୍ଟ। ବିଲରେ ପାଚିଲା ଧାନ ଓଦା ହୋଇ ଗଜା ହୋଇଛି । ଏଭଳି ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ । ଋଣ କରି ଧାନ ଫସଲ କରିଥିବା ଚାଷୀ କିପରି କରଜ ଶୁଝିବେ କିପରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ।
ଲଘୁଚାପ ଜନିତ ଲଗାଣ ବର୍ଷା ବଲାଙ୍ଗୀର ଟିଟିଲାଗଡ଼ରେ ଉଜାଡ଼ି ଦେଇଛି ଧାନ ଫସଲ। ପାଚିଲା ଧାନ ବିଲରେ ଠିଆ ହୋଇଛି। କଟା ଧାନ ମଧ୍ଯ ଖଳାରେ ଅମଳ ହୋଇପାରିନି। ଲଗାଣ ବର୍ଷାରେ ଧାନ ଓଦା ହୋଇ ଗଜା ହୋଇଗଲା। ଏବେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। ଟିଟିଲାଗଡ଼ ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଏକର ଜମିରେ ଚାଷୀ ଧାନ ଚାଷ କରିଥିଲେ । ହେଲେ ଠିକ ଅମଳ ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଅନେକ ଜମିରେ ପାଚିଲା ଧାନଗଛ ପାଣିରେ ବୁଡି ରହିଛି। ଉଜୁଡ଼ା କ୍ଷେତକୁ ଦେଖି ଚାଷୀଙ୍କ ମୁଣ୍ଡରେ ଭାଳେଣି ପଡିଲାଣି ।
ଖଳାରେ ପଡିଥିବା ଧାନ ମଧ୍ଯ ଗଜା ହୋଇଯାଇଛି । ଚାଷୀ ଭାବିଥିଲେ ଫସଲ ଅମଳ କରିବେ ମଣ୍ଡିରେ ଧାନ ବିକ୍ରି କରି ପରିବାର ପ୍ରତିପୋଷଣ କରିବେ । ହେଲେ ଏବେ ଚାଷୀଙ୍କୁ ଘାରିଛି ଚିନ୍ତା। ଓଦା ଧାନ ମଣ୍ଡିକୁ ନେବେ କିପରି? ଧାନର ମାନ ଠିକ ନଥିବା ଦେଖି ମିଲର ଓ ପ୍ରାଥମିକ ସମବାୟ ସମିତି କଟନି ଛଟନି କରିବେନି ତ? ଏଭଳି ସ୍ଥିତିରେ ସରକାର ଚାଷୀ ମାନଙ୍କୁ ସହୟତା ଯୋଗାଇ ଦେବାକୁ ଦାବି ଜୋର ଧରିଛି । ଚାଷୀଙ୍କୁ କେବେ ସହାୟତା ଯୋଗାଇ ଦିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

