ଭୁଲ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା, ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ସହିଦ୍ ଲକ୍ଷଣ ନାୟକ ମେଡିକାଲରେ ୬ ଜଣଙ୍କ ମୃତ୍ୟୁ ଘଟଣାରେ ଏଯାଏଁ ପ୍ରକୃତ କାରଣ ଜଣାପଡିନି । ଘଟଣାର ତଦନ୍ତ କରୁଥିବା ଡାକ୍ତରୀ ଟିମ ସରକାରଙ୍କୁ ରିପୋର୍ଟ ଦେଇସାରିଥିବା ଜଣାପଡିଥିଲେ ବି ସାର୍ବଜନୀନ ହୋଇନି । ସେପଟେ ସ୍ଥିତି ଅନୁଧ୍ୟାନ କରିବାକୁ ଶନିବାର ବିଜେଡିର ଏକ ପ୍ରତିନିଧି ଦଳ ମେଡିକାଲ କଲେଜ ସହ ମୃତକଙ୍କ ଗାଁରେ ପହଁଚି ସେମାନଙ୍କୁ ସମବେଦନା ଜଣାଛନ୍ତି ।
୬ ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛି ବିଜେଡି ଟିମ୍ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବତୀ ଖରାଙ୍କ ପରିବାର ଲୋକ ଏବେ ବି ଅଭିଯୋଗ କରୁଛନ୍ତି । ସେ କହିଛନ୍ତି, ଦିଦି ଆସି ଭୁଲ ଇଞ୍ଜେକ୍ସନ ଦେବାରୁ ଝିଅ ମରିଗଲା । ଇଞ୍ଜେକ୍ସନ ଦେବା ପରେ ମାତ୍ର ୫ ମିନିଟରେ ବତୀ ଖରାଙ୍କ ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରୁଛନ୍ତି । ତାଙ୍କ ପରେ ଆଇସିୟୁର ଅନ୍ୟ ୪ ଜଣ ରୋଗୀ ବି ମୃତ୍ୟୁବରଣ କରିଥିଲେ । ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସହାୟତା ଘୋଷଣା ହୋଇ ନଥିବା ବେଳେ ବିଜେଡି ଟିମ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଦେଇଛନ୍ତି ।
ମୃତକଙ୍କ ପରିବାରକୁ ଭେଟିବା ପୂର୍ବରୁ ବିଜେଡି ଟିମ କୋରାପୁଟ ମେଡିକାଲ କଲେଜରେ ପହଞ୍ଚି ଆଇସିୟୁରେ ରୋଗୀଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଅନୁଧ୍ୟାନ କରିବା ସହ ମେଡିକାଲ ଡିନଙ୍କୁ ଭେଟି ଆଲୋଚନା କରିଛନ୍ତି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି । ଏଥିସହ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ କିଭଳି କ୍ଲିନ୍ ଚିଟ୍ ଦେଲେ ବୋଲି ପ୍ରଶ୍ନ କରିଛି ବିଜେଡି ।
ଘଟଣା ଘଟିବାର ୪ ଦିନ ବିତିଯାଇଥିଲେ ସୁଧା କେବେ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି ।