ଆରମ୍ଭ ହୋଇପାରୁନି ପୁରୀ ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ନିର୍ମାଣ କାମ

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହୋଇପାରୁନି ପୁରୀ ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ନିର୍ମାଣ କାମ । ଫ୍ଲାଏ ଓଭର ପାଇଁ ଜମି ଚିହ୍ନଟ, ଜନଶୁଣାଣି ସରିଛି। ବିସ୍ଥାପନ ନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଛି। କିନ୍ତୁ ପ୍ରଶାସନର ଅବହେଳା ପାଇଁ ଆଗେଇ ପାରୁନି କାମ । ରେଳଫାଟକ ଯୋଗୁ ହଇରାଣ ହେଉଛନ୍ତି ଲୋକେ । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
କେବେ ଆରମ୍ଭ ହେବ ପୁରୀ ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ନିର୍ମାଣ ? ରେଳ ଫାଟକ ପାଇଁ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କୁ କେବେ ମିଳିବ ମୁକ୍ତି ? ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ନିର୍ବାଚନ ସମୟରେ ନେତା ଦେଇଥିବା ପ୍ରତିଶୃତି ପାଲଟିଛି ପାଣିରଗାର । ସାକ୍ଷୀଗୋପାଳ ରେଳ ଫାଟକ ଦେଇ ପ୍ରତିଦିନ ସତ୍ୟବାଦୀ ଓ ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକେ ଯାତାୟତ କରିଥାନ୍ତି । ସ୍କୁଲ୍ କଲେଜ, ଓଡ଼ିଆ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଗୁରୁତର ରୋଗୀ, ଆମ୍ବୁଲାନ୍ସ, ଦମକଳ ଗାଡ଼ି, ପୋଲିସ ଗାଡି ଯିବା ସମୟରେ ରେଳ ଫାଟକ ପଡୁଥିବାରୁ ଗୁରୁତର ସମସ୍ୟା ହେଉଛି । ଖରାରେ, ଝାଞ୍ଜି ପବନରେ, ବର୍ଷାରେ ବହୁ ସମୟ ଧରି ରେଳ ଫାଟକରେ ଅଟକିବାକୁ ପଡୁଛି। ବେଳେବେଳେ ଏଥିପାଇଁ ଦୁର୍ଘଟଣା ବି ଘଟୁଛି। ଏସବ ସମସ୍ୟାର ଏକମାତ୍ର ସମାଧାନ ଫ୍ଲାଏ ଓଭର । ଏହାର ନିର୍ମାଣ ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ବ୍ରିଟିଶ ଅମଳରୁ ସାକ୍ଷୀଗୋପାଳ ବଜାରରେ ରେଳ ଫାଟକ ନିର୍ମାଣ କରାଯାଇଥିଲା । ଏହି ରେଳ ଫାଟକ ବର୍ତ୍ତମାନ ସତ୍ୟବାଦୀ ବାସୀଙ୍କର ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି । ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜମି ଚିହ୍ନଟ ଓ କାଗଜପତ୍ର କାମ ସରିଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇନାହିଁ । ପ୍ରଶାସନର ଅବହେଳା ପାଇଁ ହଇରାଣ ହେଉଛନ୍ତି ଲୋକେ । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ କହିଛନ୍ତି, ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଥଇଥାନ କରି ସାକ୍ଷୀଗୋପାଳ ବଜାରରେ ତୁରନ୍ତ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ କରାଯାଉ । ନଚେତ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ।