ପୁଣେରେ ଚଳନ୍ତା ଟ୍ରେନର ଲାଗିଲା ନିଆଁ, ଜଣେ ଗିରଫ

ପୁଣେ: ପୁଣେରୁ ମହାରାଷ୍ଟ୍ର ଦୌଣ୍ଡ ଯାଉଥିବା ଡିଜେଲ ଇଲେକ୍ଟ୍ରିକ୍ ମଲ୍ଟିପଲ ୟୁନିଟ ସଟଲ ଟ୍ରେନରେ ହଠାତ ଲାଗିଲା ନିଆଁ । ଟ୍ରେନ ଚାଲୁଥିଲାବେଳେ ହଠାତ ଟ୍ରେନରେ ନିଆଁ ଲାଗି ଯାଇଥିଲା । ନିଆଁ ଏବଂ ଧୂଆଁ ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ଟ୍ରେନର ଶୌଚାଳୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଜଣେ ବ୍ୟକ୍ତି ଶୌଚାଳୟରେ ଫସି ରହି ଯାଇଥିଲେ । ଧୂଆଁ ଏବଂ ଯାତ୍ରୀଙ୍କ ଚିତ୍କାର ଶୁଣି ସେଠାରେ ଗଣ୍ଡଗୋଳ ହୋଇଥିଲା । କିଛି ବ୍ୟକ୍ତି ସାହସ ଦେଖାଇ ଶୌଚାଳୟ ଦ୍ବାର ଭାଙ୍ଗି ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ ।
ରେଳବାଇ ପୋଲିସର କହିବା ଅନୁସାରେ ଶୌଚାଳୟ ଡଷ୍ଟବିନରୁ ନିଆଁ ଲାଗିଥିଲା । ସେଠାରେ ଅଳିଆ କାଗଜ ଇତ୍ୟାଦି ରଖାଯାଇଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶର ଜଣେ ଯାତ୍ରୀ ବିଡି ଧୂମପାନ କରି ଡଷ୍ଟବିନରେ ଫିଙ୍ଗି ଦେଇଥିଲେ, ଯାହା ଫଳରେ ନିଆଁ ଲାଗି ଯାଇଥିଲା । ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏବେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ।