ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ! ; ବନ୍ଧା ହେଲେ ୧୦ ଅଭିଯୁକ୍ତ

ଗଞ୍ଜାମ : ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଗଣଦୁଷ୍କର୍ମ ଘଟଣାରେ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ୭ ଜଣଙ୍କୁ ଅଟକ ରଖାଯାଇଥିଲା । ଆଜି ଆଉ ୩ ଜଣଙ୍କୁ ଧରିଛି ପୋଲିସ। ଗତ ରବିବାର ସନ୍ଧ୍ୟାରେ ପ୍ରେମୀ ଯୁଗଳ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲେ। ଗୋପାଳପୁର ପାନ୍ଥ ନିବାସର ପଛପଟେ ଥିବା ସମୁଦ୍ର କୂଳ ନିକଟରେ ଗାଧୋଇବା ପରେ ସମୁଦ୍ରକୂଳରେ ବସି କଥା ହେଉଥିଲେ ପ୍ରେମୀ ଯୁଗଳ । ରାତି ପ୍ରାୟ ୮ଟା ସମୟରେ ହଠାତ ୧୦ ଜଣ ଯୁବକ ପ୍ରେମୀ ଯୁଗଳଙ୍କ ନିକଟକୁ ଆସିଥିଲେ । ୧୦ ଜଣଙ୍କ ମଧ୍ୟରୁ କିଛି ଯୁବକ ପ୍ରଥମେ ପ୍ରେମିକକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ।‌ ଏହାପରେ ଯୁବତୀଙ୍କୁ ସେଠାରୁ କିଛି ଦୂରକୁ ନେଇ ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଯୁବତୀଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ ଅଭିଯୁକ୍ତ।

ଏହାପରେ ଉଭୟ ଯୁବକ ଓ ଯୁବତୀ ଗୋପାଳପୁର ଥାନାକୁ ଆସି ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଘଟଣାକୁ ନେଇ ପୀଡ଼ିତା ଲିଖିତ ଭାବେ ଥାନାରେ ଅଭିଯୋଗ ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ କିଛି ଯୁବକଙ୍କୁ କାବୁ କରିଥିଲା । ପ୍ରଥମେ ୭‌ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ, ଗଣଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ କାବୁ କରିଥିଲା । ଫେରାର ଥିବା ତିନି ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି । ଫଳରେ ମୋଟ ୧୦ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ବ୍ରହ୍ମପୁର ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । କିଭଳି ଗଣଦୁଷ୍କର୍ମ ହୋଇଥିଲା ସେ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ।