ପଂଜାବର ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ହତ୍ୟା ଧମକ ଦେଉଥିବା ଅମୃଚପାଲ କିଏ ?

1 min read

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କଂଚନ କୁମାରୀ ଉର୍ଫ କମଲ କୌରଙ୍କ ହତ୍ୟା ପରେ ସମଗ୍ର ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । ଅମୃତପାଲ ସିଂହ ମେହରୋଙ୍କ ନାମ ଏତେ ଆତଙ୍କ ସୃଷ୍ଟି କରିଛି ଯେ ଅନେକ ସୋସିଆଲ ମିଡିଆ ଆକାଉଣ୍ଟ ମାଲିକ ଏବେ ପଞ୍ଜାବ ପୁଲିସର ଶରଣାପନ୍ନ ହେଉଛନ୍ତି । ଅମୃତପାଲ ହିଁ କଂଚନ କୁମାରୀ ଉର୍ଫ କମଲ କୌରଙ୍କୁ ହତ୍ୟା କରିଥିଲେ ଏବଂ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହାର ଦାୟିତ୍ୱ ନେଇଥିଲେ । ଏବେ ଅମୃତପାଲ ସିଂହ ମେହରୋ ଦୁଇଜଣ ଅନ୍ୟ ଇନଫ୍ଲୁଏନ୍ସର ଦୀପିକା ଲୁଥ୍ରା ଏବଂ ସିମରପ୍ରୀତ କୌର ଉର୍ଫ ପ୍ରୀତ ଜଟ୍ଟୀଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ଦେଇଛି । ଇ-ମେଲରେ ଲେଖାଯାଇଛି, “ସାବଧାନ ହୋଇ ଘରୁ ବାହାରକୁ ଯାଅ।” ଏହି ଧମକ ପରେ ଅମୃତସର ପୁଲିସର ସାଇବର ସେଲ ମେହରୋ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ଏବଂ ଦୀପିକା ଲୁଥ୍ରାଙ୍କ ସୁରକ୍ଷା ପାଇଁ ପୁଲିସ କର୍ମଚାରୀ ନିୟୋଜିତ କରାଯାଇଛି । ତାଙ୍କ ଘର ବାହାରେ ପୁଲିସ ପହରା ରହିଛି । ପୁଲିସ ଏବେ ଦୀପିକା ଲୁଥ୍ରାଙ୍କୁ ମିଳୁଥିବା ଧମକୀ ଇ-ମେଲ ଓ ମୋବାଇଲ ନମ୍ବରଗୁଡ଼ିକର ତଦନ୍ତ କରୁଛି ।

ଅମୃତପାଲ ସିଂହ ମେହରୋ ଏକ ଭିଡିଓ ଜାରି କରି ଦୀପିକା ଲୁଥ୍ରାଙ୍କୁ ଧମକ ଦେଇଥିଲେ ଯେ, “ପାର୍କିଂ କେବଳ ଭଠିଣ୍ଡାରେ ନୁହେଁ, ଏବଂ ପ୍ରତ୍ୟେକ ଥର ଲାଶ ମିଳିବ ଏମିତି ଜରୁରୀ ନୁହେଁ।” ଅନ୍ୟ କେତେକ ଲୋକ ମଧ୍ୟ ଏହି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନଙ୍କୁ ଧମକ ଦେଇଛନ୍ତି । ଅମୃତସର ପୁଲିସ ସୋମବାର ପଟିଆଲାରୁ ରମନଦୀପ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯାହାଙ୍କ ଆକାଉଣ୍ଟରୁ ଧମକପୁର୍ଣ୍ଣ ମେଲ୍ ପଠାଯାଇଥିଲା। ଲଗାତାର ଧମକ ମିଳିବା କାରଣରୁ ଦୀପିକା ଲୁଥ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି ।

ଅମୃତପାଲ ସିଂହ ମେହରୋ କିଏ ?
ଅମୃତପାଲ ସିଂହ ମେହରୋ ହେଉଛନ୍ତି ପଞ୍ଜାବର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କଂଚନ କୁମାରୀ ଉର୍ଫ କମଲ କୌରଙ୍କ ହତ୍ୟାର ମାଷ୍ଟରମାଇଣ୍ଡ । ସେ ‘କୌମ ଦେ ରାଖେ’ ନାମକ ଗୋଷ୍ଠୀର ମୁଖିଆ ଅଟନ୍ତି । ସେ ପଞ୍ଜାବର ମୋଗା ଜିଲ୍ଲାର ମେହରୋ ଗାଁର ବାସିନ୍ଦା । ଅମୃତପାଲ ଜଣେ ନିହଙ୍ଗ ସିଖ ଅଟନ୍ତି । ସେ ନନ୍-ମେଡିକାଲରେ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି ଏବଂ ୨୦୧୪ ମସିହାରେ ମୋଗାର ଆଇଟିଆଇରୁ ଡିଜେଲ ମେକାନିକ୍ସରେ ଡିପ୍ଲୋମା ହାସଲ କରିଛନ୍ତି । କଂଚନ କୁମାରୀ ଉର୍ଫ କମଲ କୌରଙ୍କ ହତ୍ୟା ପାଇଁ ଅମୃତପାଲ ସିଂହ ମେହରୋ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ନିଜକୁ ଦାୟୀ କରିଥିଲା । ୨୦୨୨ ମସିହାରେ ସେ ଶିରୋମଣି ଅକାଲୀ ଦଳ (ଅମୃତସର) ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା।