ବିଗିଡ଼ି ଗଲାଣି ସ୍ବାସ୍ଥ୍ୟସେବା : ଉପାନ୍ତ ଜିଲ୍ଲା ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ

ନବରଙ୍ଗପୁର : ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ବିଗିଡିଗଲାଣି ଡାକ୍ତରୀ ସେବାର ଭିତ୍ତିଭୂମି । ଜିଲ୍ଲାର ଚିକିତ୍ସାଳୟ ମାନଙ୍କରେ ଡାକ୍ତର ସମସ୍ୟା ପ୍ରମୁଖ କାରଣ ପାଲଟିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଶୁଡିଗଲାଣି ଭିତ୍ତିଭୂମି । ପ୍ରସୂତି ବିଭାଗରେ ଲିଫ୍ଟ ଅଚଳ ହୋଇ ପଡିଥିବା ବେଳେ ଜଳ ଯୋଗାଣ ଠପ ହୋଇ ପଡିଛି । ଯାହାକୁ ନେଇ ତେଜୁଛି ତୀବ୍ର ଅସନ୍ତୋଷ ।
ଅ୍ୟବସ୍ଥା ଘେରରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଅଚଳ ହୋଇ ପଡିଛି ଶିଶୁ, ପ୍ରସୂତି ବିଭାଗ ଲିଫ୍ଟ । ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଲିଫ୍ଟ ଖରାପ ହୋଇ ଯାଇଥିବାରୁ ମହିଳା ଦ୍ଵିତୀୟ ଓ ତୃତୀୟ ମହଲାକୁ ସିଡି କିମ୍ବା ଟ୍ରାଇସାଇକେଲରେ ଯାଉଛନ୍ତି । ସେହିପରି ମେଡିକାଲରେ ଠପ ହୋଇଯାଇଛି ଜଳ ଯୋଗାଣ । ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଉନାହାନ୍ତି ରୋଗୀଙ୍କ ସଂପର୍କୀୟ । ବାଧ୍ୟ ହୋଇ ଦୁର୍ବଳ ଶ୍ରେଣୀର ଲୋକେ ବାହାରେ ଦୂଷିତ ପାଣି ପିଉଛନ୍ତି । ବର୍ତ୍ତମାନ ବର୍ଷା ଋତୁ ଆରମ୍ଭରୁ ଡାଇରିଆ ବ୍ୟାପୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶୁଦ୍ଧ ପାଣି ମିଳୁନି । ଯାହା ସ୍ଵାସ୍ଥ୍ଯ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।
ରକ୍ତ ପରୀକ୍ଷାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି କ୍ୟୁଆର କୋଡ ବ୍ୟବସ୍ଥା । ଯାହା ଲୋକଙ୍କ ମୁଣ୍ଡବ୍ଯଥାର ପ୍ରମୁଖ କାରଣ ପାଲଟିଛି । ଲୋକେ ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ଥରେ ପଞ୍ଜୀକରଣ ସ୍ଥାନକୁ ଯାଇ ହଇରାଣ ହେଉଛନ୍ତି । ଅନ୍ୟପଟେ କ୍ୟୁଆର କୋଡ କରିବା ପାଇଁ ମଧ୍ୟ କର୍ମଚାରୀ ନିଯୁକ୍ତି ହୋଇନାହାନ୍ତି ସମସ୍ତ ରକ୍ତ ପରୀକ୍ଷା ରିପୋର୍ଟ ଅନଲାଇନରେ ମିଳୁଥିବାରୁ ତାହାକୁ ଲ୍ୟାବରେ ଅନଲାଇନ କରିବାକୁ ପଡୁଛି । ତେଣୁ ରିପୋର୍ଟ ପାଇବାକୁ ବହୁତ ଡେରି ହେଉଛି । ଅନ୍ଯପଟେ ପାଣି ସମସ୍ୟା, ଲିଫ୍ଟ ସମସ୍ୟା ଓ କ୍ୟୁଆର କୋଡ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଏଡିଏମଓ ।