ଫେରାର ଅପରାଧୀ ସାବଧାନ : ହାଜର ହୁଅ, ନହେଲେ ନିଲାମ ହେବ ସମ୍ପତ୍ତି

ଭୁବନେଶ୍ବର : ରଶ୍ମି ବାରିକ ଘରେ ଲାଗିଲା ଲଟକା ।  ଡମଣା ଛକ କସ୍ମସ ବାର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ । ପୋଲିସକୁ ଚକମା ଦେଇ ହୋଇଥିଲା ଫେରାର । କାଲି କୋର୍ଟରେ ଆତ୍ମସମର୍ପଣ ନକଲେ ବାଜ୍ୟାପ୍ତି ହେବ ସମ୍ପତ୍ତି । ସେପଟେ ଜେଲ ଫେରନ୍ତା ଓ ଫେରାର ପେଶାଦାର ଅପରାଧୀଙ୍କ ଲିଷ୍ଟ ବନାଇବାକୁ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

ଫେରାର ଅପରାଧୀ ସାବଧାନ । କାନ୍ଥରେ ଲାଗୁଛି ଲଟକା, ସମ୍ପତ୍ତି ହେବ ନିଲାମ । ହାର୍ଡକୋରଙ୍କୁ ଡିସିପିଙ୍କ କଡା ଚେତାବନୀ । ସେପଟେ ଜାମିନ ପରେ ହାଜିରା ଦେଉନାହାନ୍ତି ଜେଲ ଫେରନ୍ତା । ନାଁ ରଶ୍ମି ରଞ୍ଜନ ବାରିକ । ଘର ସୁନ୍ଦରପଦା । ୧୦ ମେ’ ରେ ଡମଣା ଛକ ବାରରେ ବାଉନସରଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ । ଘଟଣାକୁ ମାସେରୁ ଅଧିକ ବିତିଥିବା ବେଳେ ଏବେବି ରଶ୍ମି ଫେରାର ଥିବା ବେଳେ ଆଜି ଘରେ ଲାଗିଛି ଲଟକା । ଆସନ୍ତାକାଲି ଭୁବନେଶ୍ୱର କୋର୍ଟରେ ହାଜର ନହେଲେ ନିଲାମ ହେବ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ଏ ନେଇ ଏୟାରଫିଲଡ଼ ଥାନା ପୋଲିସ ରଶ୍ମିର ଘରେ ପହଞ୍ଚି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଘର କାନ୍ଥରେ ମାରିଛି ନୋଟିସ । ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଗୁଳିମାଡ଼ ହୋଇଥିବା ବାରରେ ଅବକାରୀ ବିଭାଗ ଚଢ଼ାଉ କରି ସିଲ କରିଥିଲା ।

ଫେରାର ଅପରାଧୀ ଓ ଜେଲ ଫେରନ୍ତା ଏବେ ପୋଲିସ ପାଇଁ ସୃଷ୍ଟି କରିଛନ୍ତି ମୁଣ୍ଡବିନ୍ଧା । ଜାମିନରେ ଆସିବା ପରେ ସହରରେ ରାଜୁତି ପାଇଁ ଅଣ୍ଟାରେ ମାଉଜର ଖୋସି ବୁଲୁଛନ୍ତି । କିଛିଦିନ ତଳେ ଲିଙ୍ଗରାଜ ଥାନା ନାଗେଶ୍ୱର ଟାଙ୍ଗି ଅଞ୍ଚଳରେ ନିଶାମାଫିଆ, କ୍ୟାପିଟାଲ ଥାନା ଏରିଆରେ ସହଦେବ ନାୟକ ମର୍ଡର କେସ ଅଭିଯୁକ୍ତ, ଖଣ୍ଡଗିରି ଥାନା ଅଞ୍ଚଳରେ ପୋକ୍ସ କେସ ଅଭିଯୁକ୍ତ ଘରେ ଲଟକା ଲଗାଇଥିଲା ପୋଲିସ । ହାର୍ଡକୋର ଙ୍କୁ ବାଉଣ୍ଡ ଡାଉନ କରାଯାଇଥିଲା । ପେଶାଦାର ଅପରାଧୀଙ୍କୁ ଦଫା ୧୧୦ ରେ ବୁକ କରାଯାଉଛି । ତଥାପି ଜେଲରୁ ଫେରିବା ପରେ ନିୟମିତ ବ୍ୟବଧାନରେ ଅପରାଧୀମାନେ ଥାନାରେ ହାଜିରା ନପକାଇବାରୁ ପୋଲିସ ପାଇଁ ସୃଷ୍ଟି ହୋଇଛି ମୁଣ୍ଡବିନ୍ଧା । ନିୟମ ଖିଲାପକାରୀ କ୍ରିମିନାଲଙ୍କ ଲିଷ୍ଟ ବନାଇବା ସହ ତୁରନ୍ତ ସେମାନଙ୍କୁ ଘରୁ ଉଠାଇବା ପାଇଁ ଥାନା ଆଇଆଇସି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

ସହରରେ ଆଇନକୁ ହାତକୁ ନେଉଥିବା ଅପରାଧୀଙ୍କ ହାତରେ ହାତକଡୀ ପକାଇବା ପାଇଁ ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । ମାସକ ମଧ୍ୟରେ ଏକ ଲିଷ୍ଟ ବନାଇବାକୁ ଡିସିପିଙ୍କ ନିର୍ଦ୍ଦେଶ ପରେ ଅପରାଧୀଙ୍କ ମନରେ ପଶିଛି ଛନକା  ।