ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି

ନନ୍ଦିଘୋଷ ବ୍ୟୁରୋ: ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି । ସ୍ନାନ ପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି । ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ । ଏକାଦଶୀ ତିଥିରେ ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧିରେ ଧିରେ ଜ୍ୱରରୁ ଉପଶମ ହୋଇଛନ୍ତି । ଦୀର୍ଘ ୯ ଦିନ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଉଥିବା ଶ୍ରୀଜୀଉ ଉଠି ବସିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ । ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଦଶମୂଳ ମୋଦକ ସାତୋଟି ବଢାରେ ଶ୍ରୀମନ୍ଦିରରେ ଆସି ପହଞ୍ଚିଥିଲା ।
ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି । ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ । ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ତେବେ ମହାପ୍ରଭୁ ଜ୍ୱରରେ କମ୍ପୁ ଥିବାରୁ ଭୋଗଲାଗି ସମୟରେ ଘଂଟ ବାଜିବା ବନ୍ଦ ରହିଥାଏ । ଖଳି ଲାଗି ସମୟରେ ଘଂଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି ।