ଉବୁଟୁବୁ ସୁବର୍ଣ୍ଣରେଖା ନଦୀ: ବାଲେଶ୍ବରର ୩ ବ୍ଲକର ୧୦ରୁ ଅଧିକ ଗାଁରେ ପଶିଛି ବନ୍ୟାଜଳ, ଭାସିଗଲେ ଜଣେ ଯୁବକ

ଭୁବନେଶ୍ବର: ମୌସୁମୀ ଋତୁର ପ୍ରଥମ ବର୍ଷାଜଳରେ ଉବୁଟୁବୁ ସୁବର୍ଣ୍ଣରେଖା ନଦୀ । ରାଜଘାଟରେ ଜଳସ୍ତର ବିପଦ ସଙ୍କେତ ଉପରେ ବହୁଥିବାରୁ ବାଲେଶ୍ବର ଜିଲ୍ଲାର ବସ୍ତା, ଭୋଗରାଇ, ବାଲିଆପାଳ ବ୍ଲକର ୧୦ରୁ ଅଧିକ ଗାଁରେ ପଶିଛି ବନ୍ୟାଜଳ । ବନ୍ୟା ସ୍ରୋତରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଛନ୍ତି । ଏବେ ବିପଦ ସାଜିଛି ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ୍ ଗେଟ । ୩ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଗେଟରେ ଥିବା ଫାଟ ଯୋଗୁଁ ଚିନ୍ତାରେ ୧୮ ପଞ୍ଚାୟତ । ବ୍ରିଟିଶ ଅମଳର ଏହି ପୁରୁଣା ପୋଲ ଭାଙ୍ଗିବାର ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ତେବେ ପାଣିପାଗ ଅନୂକୂଳ ଥିବାରୁ ଶୀଘ୍ର ସ୍ଥିତି ସୁଧୁରିବ ବୋଲି ସୂଚନା ମିଳିଛି ।
ସୁବର୍ଣ୍ଣରେଖାରେ ବର୍ଷର ପ୍ରଥମ ବନ୍ୟା ଜଳ । ବାଲେଶ୍ବର ଜିଲ୍ଲାର ବସ୍ତା, ଭୋଗରାଇ ଓ ବାଲିଆପାଳ ବ୍ଲକ ପ୍ରଭାବିତ । ପାଣି ଘେରରେ ଶହ ଶହ ଲୋକ । ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସଜାଗ ଜିଲ୍ଲା ପ୍ରଶାସନ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ବହୁଛି । ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏବେ ଜଳସ୍ତର ୧୧.୦୫ ମିଟର ରହିଛି । ଗତକାଲି ପ୍ରଶାସନ ପକ୍ଷରୁ ଡାକବାଜି ଜରିଆରେ ଲୋକଙ୍କୁ ରାତିରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଥିଲା । କିନ୍ତୁ ରାତିରେ ନଦୀର ଜଳ କ୍ରମଶଃ ବଢି ଭୋଗରାଇ ବ୍ଲକର ୧୦ରୁ ଅଧିକ ଗାଁ ଭିତରେ ପାଣି ପଶିଛି । ମନୁନଗର, ହୁଡାପାଳ, ଆରୁହାବର୍ତ୍ତି ଗାଁ ଦାଣ୍ଡରେ ପାଣି ଲହଡ଼ି ମାରୁଛି । ସେହିପରି ବାଲିଆପାଳ ବ୍ଲକର କୁଦମାନସିଂ, ଚଡପଦା, ଅସ୍ତି, ରସଲପୁର, ପାଳ ଯାମକୁଣ୍ଡା ଗାଁରେ ବନ୍ୟ ପାଣି ପଶିଥିବାରୁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଶହ ଶହ ଲୋକେ । ଅସୁସ୍ଥ ବାପାଙ୍କ ପାଇ ଔଷଧ ଆଣିବାକୁ ଯାଇଥିବା କୁଲ୍ଲା ଗ୍ରାମର ମହେଶ୍ବର ପିଳା ଜାମକୁଣ୍ଡା ନିକଟରେ ବନ୍ୟା ଜଳରେ ଭାସି ଯାଇଛନ୍ତି । ଅଗ୍ନିଶମ ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ ।
ସ୍ଥାନୀୟ ଲୋକଙ୍କ ପାଇଁ ଏବେ କାଳ ସାଜିଛି ଖାଳଝରି ସ୍ଲୁଇସ୍ ଗେଟ । ଭୋଗରାଇ ବ୍ଲକ ନାଚିନ୍ଦ ପଞ୍ଚାୟତରେ ଥିବା ଏହି ବ୍ରିଟିଶ ଅମଳର ଗେଟରେ ଫାଟ ଯୋଗୁଁ ଭାଙ୍ଗି ଯିବାର ସମ୍ଭାବନା ଦେଖାଦେଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଥିବା ବେଳେ ଏହା ଉପରେ ନଜର ରଖାଯାଇଛି ବୋଲି ଜୁନିୟର ଇଞ୍ଜିନିୟର କହିଛନ୍ତି । ସୁବର୍ଣ୍ଣରେଖାରେ ବନ୍ୟା ପାଣି ଯୋଗୁଁ ବାଲେଶ୍ୱରର ୩ ବ୍ଲକ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବସ୍ତା, ବାଲିଆପାଳ, ଭୋଗରାଇରେ ତଳିଆ ଅଂଚଳରେ ପାଣି ପଶିଥିବାରୁ ହଜାର ହଜାର ଲୋକେ ଜଳମଗ୍ନ ଅବସ୍ଥାରେ ଅଛନ୍ତି । ତେବେ ପାଣିପାଗ ଅନୁକୂଳ ଥିବାରୁ କମ ଦିନରେ ସ୍ଥିତି ସୁଧୁରିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ସୁବର୍ଣ୍ଣରେଖା ଫୁଲିବା ପରେ ଏବେ ଅନ୍ୟ ନଦୀ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ । ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ବିଭାଗ, ରାଜସ୍ବ ବିଭାଗ, ବ୍ଲକ ପ୍ରଶାସନକୁ ସଜାଗ କରାଯାଇଛି ।