ବିଜେପି ସରକାରରେ ଏବେ ବି ୬ ମନ୍ତ୍ରୀ ପଦ ଖାଲି, ମୋଦିଙ୍କ ଗସ୍ତ ସତ୍ତ୍ଵେ ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ

ନନ୍ଦିଘୋଷ ବ୍ୟୁରୋ: ବର୍ଷେ ପରେ ମଧ୍ୟ ରାଜ୍ୟ ବିଜେପି ସରକାରର ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ହୋଇପାରି ନାହିଁ । ଏବେ ବି ୬ ମନ୍ତ୍ରୀ ପଦ ଖାଲି । ନିଗମ ଅଧ୍ୟକ୍ଷ ନିଯୁକ୍ତି ହୋଇପାରି ନାହିଁ କି ଲୋକାୟୁକ୍ତ ଚୟନ ହୋଇନାହିଁ । ଏପରିକି କ୍ଷମତାରେ ଥିବା ବିଜେପିର ରାଜ୍ୟ ସଭାପତି ଚୟନ ହୋଇନାହିଁ । ସରକାର ଗଠନର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ପରେ ଏସବୁର ବାଟ ଫିଟିବାର ଯେଉଁ ଆଶା ଥିଲା, ତାହା ବି ଅଟକି ଯାଇଛି ଅଧାରେ । ପ୍ରଭାରୀ କହିଲେଣି, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ରାଜ୍ୟ ସଭାପତି ଚୟନ । ତା’ପରେ ହିଁ ମନ୍ତ୍ରିମଣ୍ଡଳ ପୁନର୍ଗଠନ ଓ ନିଗମ ନିଯୁକ୍ତି ।
ରାଜ୍ୟର ବିଜେପି ସରକାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ନିଗମ ନିଯୁକ୍ତିକୁ ନେଇ ବାଟ ଫିଟି ପାରି ନାହିଁ । ସରକାର ଗଠନର ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେବା ପରେ ସବୁ କିଛି ସ୍ପଷ୍ଟ ହେବାର ଆଶା ଥିଲା, ହେଲେ ଏ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଛି । ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳର ବାଟ ଓଗାଳିଛି ରଥଯାତ୍ରା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ପରେ ରାଜ୍ୟ ସଭାପତି ନେଇ ଚିତ୍ର ସ୍ପଷ୍ଟ ହେବ । ନୂଆ ରାଜ୍ୟ ସଭାପତି ଆସିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ, ନିଗମ ନିଯୁକ୍ତି ନେଇ ବାଟ ଫିଟିବ ବୋଲି ରାଜ୍ୟ ବିଜେପି ପ୍ରଭାରୀ ସ୍ପଷ୍ଟ କରିଛନ୍ତି । କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶା ବିଷୟରେ କିଛି ନିଷ୍ପତ୍ତି ନେଇନାହାନ୍ତି ବୋଲି କହିଛନ୍ତି ବିଜୟ ପାଲ ସିଂହ ତୋମାର ।
ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ଦଳ ଭିତରେ ଅସନ୍ତୋଷ ଥିଲେ ଥଇଥାନ ପାଇଁ ବ୍ୟଗ୍ରତା ରୁହନ୍ତା । ଆମ ଦଳରେ ପଦପଦବୀ ନେଇ କେହି ଅସନ୍ତୁଷ୍ଟ ନାହାଁନ୍ତି । ରାଜ୍ୟ ସଭାପତି ପାଇଁ କୌଣସି ରେସ୍ ନାହିଁ କି ନିଗମ ପଦ ପାଇଁ କେହି ଲାଳାୟିତ ନାହାନ୍ତି ବୋଲି ସେ ସଫେଇ ଦେଇଛନ୍ତି । ହେଲେ ତାଙ୍କର ଏହି ସଫେଇ ସମୀକ୍ଷକଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ସମୀକ୍ଷକଙ୍କ ମତରେ ବାସ୍ତବ ସ୍ଥିତି ଭିନ୍ନ । ବର୍ଷକ ଭିତରେ ନିଗମ ନିଯୁକ୍ତି ହୋଇପାରିଲା ନାହିଁ । ଦୁର୍ନିୀତି ବିରୋଧରେ ଶୂନ୍ୟ ସହନଶୀଳତା କଥା କୁହାଯାଉଛି, ହେଲେ ଲୋକାୟୁକ୍ତ ଚୟନ ହୋଇପାରୁନାହିଁ । ଜିଲ୍ଲାସ୍ତରରେ ସରକାରୀ ଓକିଲ ନିଯୁକ୍ତ ହୋଇପାରୁନାହାନ୍ତି । ବିଦ୍ୟାଳୟ ଓ କଲେଜ ପରିଚାଳନା କମିଟି ଗଢା ହୋଇପାରୁନାହିଁ । ଏସବୁ ପାଇଁ ବିଜେପି ଦଳ ଓ ବିଜେପି ସରକାର ମଧ୍ୟରେ ସମନ୍ବୟର ଅଭାବ ବୋଲି ସମୀକ୍ଷକ କହିଛନ୍ତି ।
ରାଜ୍ୟରେ ବର୍ଷକର ବିଜେପି ସରକାରର ସଫଳତା ନେଇ ଜୋରଦାର ପ୍ରଚାର କରୁଛି ଦଳ । ହେଲେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ସ୍ଥିତି, ନିୟନ୍ତ୍ରଣ ବାହାରେ ହଇଜା ସ୍ଥିତି ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିଛି । ଦଳ ଭିତରେ ମନୋମାଳିନ୍ୟ, ଅନ୍ତଃକନ୍ଦଳ ଯୋଗୁଁ ରାଜ୍ୟ ସଭାପତି ବଛା ହେଇ ନପାରିବା, ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ବାଟ ନ ଫିଟିବା ଯୋଗୁଁ ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।