ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ନାଁରେ ଚାଲିଛି କି ଫାର୍ସ ?

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଲୋକଙ୍କ ଅଭିଯୋଗର ସମାଧାନ ପ୍ରତିଶତକୁ ନେଇ ଉଠିଲା ପ୍ରଶ୍ନ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବିଭିନ୍ନ ବିଭାଗକୁ ଚିଠି ଲେଖିବା ପରେ ତେଜିଛି ରାଜନୀତି । ତ୍ୱରିତ ଢଙ୍ଗରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଏହାର ସମାଧାନ କରିବାକୁ କୁହାଯାଇଛି । ବିଶେଷ କରି ପୋଲିସ ବିଭାଗରେ ଅଭିଯୋଗ ସମାଧାନର ପ୍ରତିଶତ କମ । ଏନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ ।
ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଲୋକେ ବହୁ ଆଶା ନେଇ ଦୌଡ଼ି ଆସୁଛନ୍ତି । କିନ୍ତୁ ଅଭିଯୋଗର ସମାଧାନ ପ୍ରତିଶତ ଉପରେ ଲାଗିଛି ପ୍ରଶ୍ନଚିହ୍ନ । ଏନେଇ ଖୋଦ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିନ୍ତା ପ୍ରକାଶ କରିବା ସହ ବିଭିନ୍ନ ବିଭାଗକୁ ଚିଠି ଲେଖିଛି । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ ହସ୍ତଗତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ କୁହାଯାଇଛି। ସରକାରରେ ବିଧାୟକ ଗୋଟିଏ କଥା କହିଲେ ମନ୍ତ୍ରୀ ଗୋଟିଏ କଥା କହୁଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ କଥା କହୁଛନ୍ତି । ଫଳରେ ଅଧିକାରୀମାନେ ନିର୍ଦ୍ଦେଶ ପାଳନ କରୁନାହାନ୍ତି । ସରକାରୀ କର୍ମଚାରୀ ପୂରା ଢିଲା ହୋଇଗଲେଣି ବୋଲି କହିଛି କଂଗ୍ରେସ । ବିଜେଡି କହିଛି ଏ ସରକାର ସ୍ଥାଣୁ । ସରକାରଙ୍କ ନିର୍ଦ୍ଦେଶନାମାକୁ କେହି ଖାତିର କରୁନାହାନ୍ତି । ସରକାର ଥିଲା ଭଳି ଲୋକେ ଉପଲବ୍ଧି କରି ପାରୁନାହାନ୍ତି ।
୫ଟି ବିଭାଗ, ପୋଲିସ ମହା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଓ ୧୯ଟି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ ସମାଧାନ ପ୍ରତିଶତ ୮୦ ପ୍ରତିଶତରୁ କମ । ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଏସବୁର ସମାଧାନ କରିବାକୁ କୁହାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପୋଲିସ ବିଭାଗରେ ଅଭିଯୋଗ ସମାଧାନ ପ୍ରତିଶତ କମ ରହିବାକୁ ନେଇ ଭିନ୍ନ ମନ୍ତବ୍ୟ ରଖିଛନ୍ତି ପୂର୍ବତନ ପୋଲିସ ଅଧିକାରୀ । ପୋଲିସ ବିଭାଗରେ ଅର୍ଦ୍ଧାଧିକ ପଦ ଫାଙ୍କା ପଡିଥିବା ବେଳେ ସେମାନଙ୍କ ଉପରେ ବହୁ ଅଧିକ ଚାପ ରହିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ । ସରକାର କେବଳ ଚିଠି ନଲେଖି ସ୍ଥିତି ବୁଝିବା ଦରକାର । ରାଜ୍ୟରେ ପୋଲିସ ବିଭାଗରେ କେତେ ପଦ ପଦବୀ ଫାଙ୍କା ପଡିଛି ସେ ସମ୍ପର୍କରେ ସରକାର ପ୍ରଥମେ ବୁଝନ୍ତୁ । ପ୍ରକୃତ କାରଣ ଓ ସମସ୍ୟାର ସମାଧାନ କଲେ ଯାଇ ଲୋକଙ୍କ ଅଭିଯୋଗର ସମାଧାନ ହୋଇପାରିବ । ଯଦି କୌଣସି ଅଧିକାରୀ କାମ କରୁନାହାନ୍ତି ସେମାନଙ୍କୁ ଦଣ୍ଡିତ କରାଯାଉ । ଯେଉଁଠି ବହୁ ପଦବୀ ଫାଙ୍କା ରହିଛି ତାହାକୁ ପୂରଣ କରାଯାଉ ।