ଫେସବୁକରେ ଏହି ୩ଟି ଶବ୍ଦ ଲେଖି ଫସିଲେ ବ୍ୟାଙ୍କ କର୍ମଚାରୀ, ହରାଇଲେ ୭ ଲକ୍ଷ ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ୭ ଲକ୍ଷ ଟଙ୍କା ହରାଇଲେ ବ୍ୟାଙ୍କ କର୍ମଚାରୀ । ଫେସବୁକରେ ଏହି ୩ଟି ଶବ୍ଦ ଲେଖିବା ପଡିଲା ଭାରି । ସାଇବର ଠକେଇର ଶିକାର ହେଲେ ବ୍ୟାଙ୍କ କର୍ମଚାରୀ । ଏହି ମାମଲାରେ କର୍ଣ୍ଣାଟକର କୋଡାଗୁ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ୫ ଜଣ ନକଲି ପୋଲିସ ପରିଚୟ ଦେଇ ବ୍ୟାଙ୍କ କର୍ମଚାରୀଙ୍କୁ ଠକିଥିଲେ।

ସୂଚନା ଅନୁଯାୟୀ, ପାର୍ଶିବ ମୂର୍ତ୍ତି ମାଡାପାଟନ ଗ୍ରାମର ବାସିନ୍ଦା । ସେ ଜଣେ ବ୍ୟାଙ୍କ କର୍ମଚାରୀ । ପାର୍ଶିବ କହିଛନ୍ତି ଯେ, ୧୧ ଅକ୍ଟୋବର ୨୦୨୪ରେ ଫେସବୁକରେ ସେ ଜଣେ ଝିଅକୁ ପ୍ରେମ ନିବେଦନ କରି ଆଇ ଲଭ୍ ୟୁ ମେସେଜ ପଠାଇଥିଲେ ।  ଏହାପରେ ୨ ନଭେମ୍ବରରେ ତାଙ୍କୁ ଏକ କଲ୍ ଆସିଥିଲା । ସାଇବର ଠକ କଲ କରି ନିଜକୁ ପେରିଆପାଟନ ସାଇବର ପୋଲିସ ବୋଲି  ପରିଚୟ ଦେଇଥିଲେ । ଏବଂ ଝିଅଟିକୁ ହଇରାଣ କରୁଥିବା କଥା କହିଥିଲେ । ଏହାସହ ୭ ଲକ୍ଷ ଟଙ୍କା ମାଗିଥିଲେ। ଯଦି ସେ ଟଙ୍କା ନ ଦିଅନ୍ତି, ତେବେ ସେ ତାଙ୍କ ଘରକୁ ଆସି ତାଙ୍କୁ ଗିରଫ କରିବେ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ। ଜେଲ୍ ଯିବା ଡରରେ ପାର୍ଶିବ ସାଇବର ଠକଙ୍କୁ ୭ ଲକ୍ଷ ଟଙ୍କା ଦେଇଥିଲେ ।

ଏହାପରେ ସାଇବର ଠକମାନେ ତାଙ୍କୁ ହଇରାଣ କରିବା ଛାଡିନଥିଲେ । ବାର ବାର ଫୋନ କରି ଟଙ୍କା ମାଗୁଥିଲେ । ପ୍ରଥମେ ସେ ଅଭିଯୋଗ କରିବାକୁ ସଂକୋଚ କରୁଥିଲେ । ଲଗାତାର ଧମକପୂର୍ଣ୍ଣ କଲ୍ ଏବଂ ମାନସିକ ଚାପ ଯୋଗୁଁ ସେ ଟଙ୍କା ଦେଇ ଚାଲିଥିଲେ । ସେ ଠକମାନଙ୍କୁ ପ୍ରାୟ ୭ ଲକ୍ଷ ଟଙ୍କା ଦେଇଥିଲେ।

ପାର୍ଶିବ ଜାନୁଆରୀ ୧୧, ୨୦୨୫ରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଡିଏସ୍ପି ପି. ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଥିଲା । ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଚାରୋଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି ।