କୋକିଳାବେନ୍ ହସ୍ପିଟାଲରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଦେଖିଲେ ନବୀନ ପଟ୍ଟନାୟକ

1 min read

ନନ୍ଦିଘୋଷ ବ୍ୟୁରୋ : ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଲୀଳାଖେଳ। ସାରା ଦୁନିଆରୁ ଛୁଟିଆସିଛନ୍ତି ଭକ୍ତ। ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର। ସେପଟେ ଚିକିତ୍ସିତ ଅବସ୍ଥାରେ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ପରେ ଆରୋଗ୍ୟ ଲାଭ କରୁଥିବା ନବୀନ ଆଜି ନନ୍ଦିଘୋଷ ଟିଭି ଜରିଆରେ ଦେଖିଛନ୍ତି ରଥାଯାତ୍ରା ସିଧାପ୍ରସାରଣ। ଡାକ୍ତରଖାନା ଶଯ୍ୟାରେ ରହି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ସହ ରାଜ୍ଯବାସୀଙ୍କ କଲ୍ୟାଣ କାମନା କରିଛନ୍ତି ନବୀନ।

ସର୍ଭିକାଲ ଆର୍ଥ୍ରାଇଟିସରେ ପୀଡ଼ିତ ନବୀନଙ୍କ ସଫଳ ଅସ୍ତ୍ରୋପଚାର ପରେ ଏବେ ତାଙ୍କର ଫିଜିଓଥେରାପି ଚାଲିଛି । ରଥଯାତ୍ରା ଅବସରରେ ବିଜେଡି ନେତା, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକମାନେ ମଧ୍ଯ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜ ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇ ସେ ଓଡ଼ିଶା ଫେରିଆସିବେ ବୋଲି କାଳିଆଠାକୁର ପାଖରେ ପ୍ରାର୍ଥନା କରିଛନ୍ତି ଦଳୀୟ ନେତା ।