ଶିଶୁ କନ୍ୟାକୁ ଟୋକେଇରେ ଛାଡି ଦେଇ Sorry ଲେଖିଲେ ବାପା-ମାଆ
1 min read
ନନ୍ଦିଘୋଷ ବ୍ୟୁରୋ : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଶିଶୁକୁ ଟୋକେଇରେ ଛାଡି ପଳାଇଲେ ବାପା ମାଆ । ମହାରାଷ୍ଟ୍ରର ନଭି ମୁମ୍ବାଇରେ ରାସ୍ତା କଡ଼ରେ ଏକ ଟୋକେଇରେ ଏକ ନବଜାତ ଶିଶୁକନ୍ୟା ମିଳିବା ଘଟଣା ସାମ୍ନାକୁ ଆସିଛି। ୩ ଦିନର ଏକ ଶିଶୁକନ୍ୟାକୁ ଟୋକେଇରେ ପୂରାଇ ରାସ୍ତାକଡ଼ରେ କେହି ନିଷ୍ଠୁର ମାଆ-ବାପା ଛାଡ଼ି ଚାଲିଯାଇଛନ୍ତି। ଏହା ସହିତ ଏକ କାଗଜରେ ‘Sorry’ ଲେଖିବା ସହ ଛାଡ଼ିବାର କାରଣ ମଧ୍ୟ ଲେଖିଦେଇଯାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ନିଜ ସହିତ ନେଇଯାଇଛି। ଏହା ସହିତ ପୋଲିସ ଝିଅର ପିତାମାତାଙ୍କୁ ଖୋଜିବା ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହି ନୋଟଟି ଇଂରାଜୀରେ ଲେଖାଯାଇଥିଲା।
ଏହି ଚିଠିରେ ଶିଶୁକନ୍ୟାର ମାଆବାପା ଲେଖିଛନ୍ତି ଯେ, ସେମାନେ ବହୁତ ଗରିବ। ତେଣୁ ସେମାନେ ଝିଅଟିକୁ ପାଳନ କରିବାକୁ ସକ୍ଷମ ନୁହନ୍ତି। ଏହି କାରଣରୁ ସେମାନଙ୍କୁ ଏପରି ପଦକ୍ଷେପ ନେବାକୁ ପଡ଼ିଛି। ଏହା ସହିତ ସେମାନେ ଚିଠିର ଶେଷରେ ‘Sorry’ ଲେଖି କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ପୋଲିସ ଝିଅଟିକୁ ନିଜ ସୁରକ୍ଷାରେ ନେଇ ତୁରନ୍ତ ଶିଶୁରୋଗ ବିଶେଷଜ୍ଞଙ୍କୁ ଦେଖାଇଛି। ଝିଅଟିର ଅବସ୍ଥା ସ୍ଥିର ଅଛି। ପୋଲିସ ଏହି ମାମଲାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ଶନିବାର ଦିନ ନଭି ମୁମ୍ବାଇର ପାନଭେଲ ଅଞ୍ଚଳରେ ରାସ୍ତା କଡ଼ରେ ଏକ ନବଜାତ ଶିଶୁକନ୍ୟା ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ତିନି ଦିନର ଶିଶୁକନ୍ୟାଟିକୁ ତାଙ୍କ ବାପାମା ଟିକ୍କା କଲୋନିରେ ରାସ୍ତା କଡ଼ରେ ଏକ ନୀଳ ଟୋକେଇରେ ଛାଡି ଦେଇଥିଲେ। ସ୍ଥାନୀୟ ଲୋକମାନେ ପରିତ୍ୟକ୍ତ ଝିଅଟିକୁ ଦେଖିବା ମାତ୍ରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ପୋଲିସ ଦେଖିଲା ଯେ ଝିଅଟି ସହିତ ଟୋକେଇରେ ଏକ ଚିଠି ମଧ୍ୟ ରଖାଯାଇଥିଲା। ମାମଲାର ତଦନ୍ତ ପାଇଁ ପାଖରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ମଧ୍ୟ ଯାଞ୍ଚ କରୁଛି। ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ମାଆବାପାଙ୍କ ବିରୋଧରେ ପୋଲିସଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।