ମହିଳାଙ୍କୁ ଦୁଷ୍କର୍ମ ଓ ଉଲଗ୍ନ ଭିଡିଓ ଭାଇରାଲ ପ୍ରତିବାଦରେ ବାଂଲାଦେଶରେ ହିନ୍ଦୁଙ୍କ ବଡ଼ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ହିନ୍ଦୁ ନିର୍ଯାତନାର ଶିକାର ହେଉଛନ୍ତି । ହିନ୍ଦୁ ମହିଳା ଓ ଯୁବତୀ ବି ସୁରକ୍ଷିତ ନୁହଁନ୍ତି । ସ୍ଥିତି ଏମିତି ହିନ୍ଦୁମାନେ ଘରୁ ବାହାରିବାକୁ ମଧ୍ୟ ଡରୁଛନ୍ତି । ଏମିତି ସ୍ଥିତିରେ ସଂଖ୍ୟାଲଘୁ ହିନ୍ଦୁଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ହେବାରେ ଲାଗିଛି । ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବା ଆରମ୍ଭ କରି ଦେଇଛି । ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପକ୍ଷରୁ ଏକ ବଡ଼ ବିକ୍ଷୋଭ କରାଯାଇଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ତାଙ୍କ ଉଲଗ୍ନ ଭିଡିଓ ଭାଇରାଲ ହେବା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏପରିକି ତାଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମରାଯାଇଛି । ସେ କାକୁତି ମିନତି କରିଥିଲେ ବି ସୈତାନମାନେ ତାଙ୍କୁ ଛାଡି ନଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଏହାକୁ ନେଇ ବାଂଲାଦେଶରେ ବଡ଼ ବିକ୍ଷୋଭ ହୋଇଛି । ରାଜଧାନୀ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ବିଶାଳ ପ୍ରତିବାଦ ଆୟୋଜନ କରିଥିଲେ । ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ । ଜୁନ୍ ୨୬ ତାରିଖରେ ୨୧ ବର୍ଷୀୟ ମହିଳାଙ୍କୁ ଜଣେ ସ୍ଥାନୀୟ ନେତା ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । କୁମିଲ୍ଲା ଜିଲ୍ଲାରେ ଏହି ଘଟଣା ଘଟିଛି । ମହିଳା ଜଣକ ତାଙ୍କ ବାପଘରକୁ ଆସିଥିବା ବେଳେ ଏହି ଜଘନ୍ୟକାଣ୍ଡ ଘଟିଥିଲା ।

ଏହାର ପ୍ରତିବାଦରେ ଢାକା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ବହୁତ ବଡ଼ ବିକ୍ଷୋଭ କରିଛନ୍ତି । ଗତବର୍ଷ ଅଗଷ୍ଟରେ ଶେଖ ହାସିନାଙ୍କ ଆୱାମୀ ଲିଗ୍ ସରକାରର ପତନ ପରେ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହିଂସା ବଢିଛି ।