କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ବିଏମସି କର୍ମଚାରୀ

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସାମୟିକ ସ୍ଥଗିତ। କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ବିଏମସି କର୍ମଚାରୀ । ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବାକୁ ଦେଇଥିଲେ ଚେତାବନୀ। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ସାମୟିକ ସ୍ଥଗିତ ରହିଛି।  ଏହା କେବଳ ଗୋଟିଏ ଘଟଣା ନୁହେଁ, ବର୍ଷକ ଭିତରେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି। ଯାହାକି ସରକାରୀ ଅଧିକାରୀଙ୍କୁ ବିଚଳିତ କରିବା ସହ ଆତ୍ମସମ୍ମାନକୁ ଆଘାତ ଦେଉଛି। ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଆକ୍ରମଣ ପ୍ରାଶାସନିକ ବ୍ୟବସ୍ଥାକୁ ଆକ୍ରମଣ ସହ ସମାନ। ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଓଏଏସ ଅଧିକାରୀ। ଯେପର୍ଯ୍ୟନ୍ତ ସୁରକ୍ଷା ସୁନିଶ୍ଚିତ କରିନାହାନ୍ତି, ସେ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରହିବେ କହିଥିଲେ। ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଭେଟିବା ପରେ ନିଷ୍ପତ୍ତି ସ୍ଥଗିତ ରହିଛି। ସେପଟେ ଆଜି କଳା ବ୍ୟାଜ୍ ପିନ୍ଧି ଅଫିସରେ ଯୋଗ ଦେଇଛନ୍ତି  ବିଏମସି କର୍ମଚାରୀ।