କ’ଣ ପାଇଁ ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟକୁ ପୁଣି ବ୍ୟାନ୍ କଲା ଭାରତ?
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତରେ ପୁଣି ବବନ୍ଦ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ । ଖୋଲିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ବହୁ ନାମୀ ଦାମୀ କଳାକାର, କ୍ରିକେଟର ଏବଂ ୟୁଟ୍ୟୁବରଙ୍କ ଆକାଉଣ୍ଟ ଆଉ ଏବେ ଆସୁନାହିଁ । ତେବେ କାହିଁକି ପୁଣିଥରେ ଏଭଳି ନିଷ୍ପତ୍ତି ନିଆଗଲା । ଏହା ପଛରେ କଣ ରହିଛି କାରଣ । ଏହାକୁ କାହିଁକି ବ୍ୟାନ କରାଯିବାକୁ ନିଆଗଲା ନିଷ୍ପତ୍ତି । ତେବେ ପାକିସ୍ତାନର ପ୍ରତିଷ୍ଠିତ ସେଲିବ୍ରିଟି ହାନିଆ ଆମୀର, ସାହିଦ ଆଫ୍ରିଦ, ଫଓ୍ବାଦ ଖାନଙ୍କ ଭଳି ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଏବଂ ଏକ୍ସ ଆକାଉଣ୍ଟ ଏବେ ଭାରତର ୟ୍ୟୁଜର୍ସମାନେ ଦେଖିବାକୁ ପାଉନାହାନ୍ତି । ତେବେ ଏଯାବତ ଏନେଇ କୌଣସି ସରକାରୀ ତଥ୍ୟ ପ୍ରଦାନ କରାଯାଇନାହିଁ । ମାତ୍ର ଏହିସବୁ ଆକାଉଣ୍ଟକୁ ସର୍ଚ୍ଚ କଲେ ନଟ୍ ଆଭେଲେବଲ ଦେଖାଉଛି ।
କହି ରଖୁଛୁ କି, ଗତକାଲି ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ଉପରୁ ହଟିଥିଲା ପ୍ରତିବନ୍ଧକ । ପାକିସ୍ତାନର ବଡ ବଡ ସେଲିବ୍ରିଟି ଏବଂ ଖେଳାଳୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟିଥିଲା । ଏହାପରେ ପାକିସ୍ତାନୀ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଭାରତରେ ଦେଖିବାକୁ ମିଳୁଛି । ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂର ସମୟରେ ଏହି ପ୍ରତିବନ୍ଧକ ଲଗାଇଥିଲା ଭାରତ । ଅପରେସନ ସିନ୍ଦୂର ବେଳେ ଅପପ୍ରଚାର ଏବଂ ଦଙ୍ଗା ସୃଷ୍ଟିକାରୀ କଣ୍ଟେଣ୍ଟ ପକାଉଥିବାରୁ ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ସହ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା ।
ମାତ୍ର କାଲି ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ସହ ହମ୍ ଟିଭି, ଏଆରୟାଇ ଡିଜିଟାଲ, ହର ପଲ ଜିଓ ଏବେ ଭାରତରେ ଦୃଶ୍ୟମାନ ହୋଇଥିଲେ ବି ଆଜି ଏହା ଆଉ ଦେଖିବାକୁ ମିଳୁନି ।
ସେପଟେ ବୁଧବାର ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ ଭାରତରେ ଦେଖାଯିବା ପରେ ଏହାକୁ ନେଇ ଅଭିଯୋଗ ଆଣିଥିଲା AIWCA । ଅଲ ଇଣ୍ଡିଆ ସିନେ ଓ୍ବାକର୍ସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଏକ ନିବେଦନ କରାଯାଇଥିଲା । ଯେଉଁଥିରେ ସେମାନେ ଦାବି କରିଥିଲେ କି, ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଉ । ବାରମ୍ବାର ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି । ୨୨/୧୧, ଉରୀ, ପୁଲଓ୍ବାମା ଏବଂ ପହଲଗାମ ଭଳି ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ରହିଥିବାବେଳେ ସେମାନଙ୍କ ସେଲିବ୍ରିଟିଙ୍କ ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।