ମାଲିର ଏକ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ
1 min read
ନନ୍ଦିଘୋଷ ବ୍ୟୁରୋ: ଆଫ୍ରିକୀୟ ରାଷ୍ଟ୍ର ମାଲିର ଏକ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ । ନିଷିଦ୍ଧ ଘୋଷିତ ଆତଙ୍କୀ ସଂଗଠନ ଅଲ କାଏଦାର ଏକ ସହଯୋଗୀ ସଂଗଠନ ସେମାନଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ପଶ୍ଚିମାଞ୍ଚଳ ମାଲି ଅନ୍ତର୍ଗତ କାୟେସସ୍ଥିତ ଡାଏମଣ୍ଡ ସିମେଣ୍ଟ କାରଖାନାରୁ ସେମାନଙ୍କୁ ଅପହରଣ କରାଯାଇଛି । ଏହା ସହ ଚୀନର ଜଣେ ନାଗରିକଙ୍କୁ ମଧ୍ୟ ଅପହରଣ କରାଯାଇଥିବା ସୂଚନା ମିଳିଛି। ଏହି କାରଖାନା ଉପରେ ସଶସ୍ତ୍ର ଆତଙ୍କୀମାନେ ସମ୍ମିଳିତ ହମଲା କରିବା ପରେ ସେମାନଙ୍କୁ ଅପହରଣ କରାଯାଇଛି । ଆକ୍ରମଣ କରିବା ସହ କିଛି କର୍ମଚାରୀଙ୍କୁ ପଣବନ୍ଦୀ କରିଥିଲେ । ପରେ ସେମାନଙ୍କୁ ଅପହରଣ କରିଥିଲେ । ଅଲ କାଏଦା ସହ ଜଡ଼ିତ ଜମାତ ନୁସରତ ଅଲ-ଇସଲାମ ଓ୍ବାଲ ମୁସଲିମିନ ପକ୍ଷରୁ ଏହି ଅପରହରଣ କରାଯାଇଥିବା କୁହାଯାଇଛି ।
ଏହା ସହ କାଏସ, ନିଓନୋ, ମୋଲୋଦ ଓ ଅନ୍ୟାନ୍ଯ ସ୍ଥାନରେ ଥିବା ସାମରିକ ସ୍ଥଳୀ ଉପରେ ଜେଏନଆଇଏମ ପକ୍ଷରୁ ୭ରୁ ଅଧିକ ହମଲା ହୋଇଛି। ଏହି ଅପହରଣ ଘଟଣାକୁ ତୀବ୍ର ନିନ୍ଦା କରିଛି ଭାରତୀୟ ବୈଦେଶିକ ବ୍ଯାପାର ମନ୍ତ୍ରାଳୟ । ଅପହୃତ ଭାରତୀୟଙ୍କୁ ନିରାପଦରେ ଉଦ୍ଧାର ଲାଗି ମାଲି ସରକାରଙ୍କ ନିକଟରେ ଅନୁରୋଧ କରିଛି ମନ୍ତ୍ରାଳୟ । ଗତ ଜୁଲାଇ ୧ରେ ଏହି ଅପହରଣ ଘଟିଥିଲା । ସଶସ୍ତ୍ର ଆତଙ୍କୀ ପ୍ରଥମେ କାରଖାନାରେ ପ୍ରବେଶ କରିବା ପରେ ଭାରତୀୟଙ୍କୁ ଅପହରଣ କରିଥିଲେ । ବାମାକୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଘଟଣାକୁ ଗୁରୁତ୍ବର ସହ ନିଆଯାଇ ଭାରତୀୟଙ୍କ ଉଦ୍ଧାର ଲାଗି ପଦକ୍ଷେପ ନିଆଯାଇଛି । ସେପଟେ ମାଲିରେ ବସବାସ କରୁଥିବା ଭାରତୀୟମାନେ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ମନ୍ତ୍ରାଳୟ ।