ଶ୍ରୀନଅରକୁ ବାହୁଡିବେ ଦାରୁଦିଅଁ; ତିନି ରଥରେ ବିଜେ ହେଲେ ତିନି ଠାକୁର

ପୁରୀ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜନ୍ମବେଦୀରେ ଲୀଳାଖେଳା ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ଶ୍ରୀନଅର ଫେରିବେ ମହାପ୍ରଭୁ ଜଗନ୍ନାଥ । ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥରେ ବିଜେ କରିସାରିଲେଣି ତିନିଠାକୁର । ଏବେ ବି ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡ଼ଦାଣ୍ଡ। ଲୋକାରଣ୍ୟ ବଡଦାଣ୍ଡ। ବଡ଼ଠାକୁରଙ୍କ ଦର୍ଶନ ପାଇ କୃତାର୍ଥ ହୋଇଛନ୍ତି, ଭକ୍ତ, ବଡ଼ଦାଣ୍ଡ, ରଥ, ପଥ ସବୁକିଛି। କୋଟି କୋଟି ଭକ୍ତଙ୍କ ସମାଗମରେ ଭାବ ଭକ୍ତିରେ ଭିଜୁଛି ବଡଦାଣ୍ଡ । ଦୀର୍ଘ ୧୫ ଦିନ ଧରି କାଳିଆକୁ ଦେଖିନଥିବାରୁ ଆଜି କୋଟି କୋଟି ଭକ୍ତ ତାର ଅପୂର୍ବ ଦୁର୍ଲଭ ଦୃଶ୍ୟ ଦେଖିବାକୁ ଚାହିଁ ରହିଛନ୍ତି ।
ପ୍ରଥମେ ସୁଦର୍ଶନ ପରେ ବଡ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ପରେ ଭକ୍ତଙ୍କ କାନ୍ଧରେ ରଥକୁ ବିଜେ କରିଥିଲେ ସୁଭଦ୍ରା । ଭାଇଉଣୀଙ୍କ ପରେ ଝୁଲି ଝୁଲି ଆସିଲେ କାଳିଆ । ଟାହିଆ ହଲେଇ ପହଣ୍ଡି କରି ରଥକୁ ବିଜେ କଲେ କୋଟି ଓଡିଆଙ୍କ ମଉଡମଣି । । ଭକ୍ତଙ୍କ ଗହଣରେ ଟାହିଆ ହଲେଇ ଝୁଲି ଝୁଲି ରଜା ଭଳି ଭକ୍ତଙ୍କୁ ଦେଖି ଦେଖି ଆସିଲେ ଜଗା । କେଉଁ ଭକ୍ତଙ୍କ ଆଡକୁ ଚାହିଁ ଟିକେ ଅଟକି ଯାଉଛି, ପୁଣି କାହାକୁ ବାଙ୍କ ଚାହାଣୀରେ ଚାହୁଁଛି ।
ବଡ଼ଦାଣ୍ଡରେ କୋଟି କୋଟି ଭକ୍ତଙ୍କ ସମାଗମ । ଦୀର୍ଘ ୧୫ ଦିନ ଧରି ଚଳଚଞ୍ଚଳ ଥିଲା ଶ୍ରୀକ୍ଷେତ୍ର । କାଳିଆର ଅପୂର୍ବ ଦୁର୍ଲଭ ଦର୍ଶନ ପାଇଁ ବିଭୋର ଭକ୍ତ । ସେଥିପାଇଁ ଜାଣିଶୁଣି ବୋଧେ ଭକ୍ତଙ୍କ ଉପରେ ବର୍ଷା କରାଉଛି । ଯେମିତି ସେମାନଙ୍କ ଦର୍ଶନରେ ଖରା ବ୍ୟାଘାତ ନକରୁ । ପରୀକ୍ଷା ନେଉଛି ଜଗା । ବିଳମ୍ବରେ ପହଣ୍ଡି କରି ବଡଦାଣ୍ଡକୁ ଆସୁଛି ତାଳଧ୍ଵଜରେ ବଳଭଦ୍ର , ଦର୍ପଦଳନରେ ମାଆ ସୁଭଦ୍ରା ଏବଂ ନନ୍ଦିଘୋଷକୁ କାଳିଆ ସାଆନ୍ତ ବିଜେ କରି ସାରିଛନ୍ତି ।