ମହିଳାଙ୍କ ବିରୋଧରେ ଅଶ୍ଳୀଳ ମନ୍ତ୍ରବ୍ୟ ଦେଇଥିବା ବିଧାୟକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ବିଜେପି ?

ନନ୍ଦିଘୋଷ ବ୍ୟୁରୋ: ନୀଳଗିରି ବିଜେପି ବିଧାୟକଙ୍କ ମହିଳା ବିରୋଧୀ ଅଶ୍ଳୀଳ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ଝଡ଼, ତେଜୁଛି ଅସନ୍ତୋଷ। ସବୁସ୍ତରରୁ ଆସୁଛି ନିନ୍ଦା ଓ ସମାଲୋଚନା । ସୋର ଥାନାରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ବି କରିଛନ୍ତି ଭର୍ତ୍ସନା । ମହିଳାଙ୍କୁ ସମ୍ମାନ ଓ ସୁରକ୍ଷାର କଥା କହୁଥିବା ବିଜେପି ସରକାର ଏ ଯାଏଁ ବିଧାୟକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ଟିପ୍ପଣୀକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷର ନିଆଁ । ଦଳମତ ନିର୍ବିଶେଷରେ କଡ଼ା ସମାଲୋଚନା କରାଯାଉଛି । ସୋର ମହିଳା ବିଜୁ ଜନତା ଦଳ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ବିଧାୟକଙ୍କୁ ଗିରଫ ସହ ତାଙ୍କ ବିଧାୟକ ପଦ ରଦ୍ଦ ଲାଗି ଦାବି ହୋଇଛି । ସେପଟେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ବର୍ଷିଛି କଂଗ୍ରେସ । ବିଧାୟକ ଏଭଳି ଭାଷା ପ୍ରୟୋଗ କରିବା ତାଙ୍କ ନିଜ ସଂସ୍କାର ନା ଦଳୀୟ ସଂସ୍କାର ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପୁରୀ ଓ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କ’ଣ ଦଳୀୟ କର୍ମୀ ଓ ନେତାଙ୍କୁ ଏହି ଶିକ୍ଷା ଦିଆଯାଇଥିଲା କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବିଧାୟକଙ୍କ ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ଗିରଫ କରିବା ଆବଶ୍ୟକ ବୋଲି ବିରୋଧୀ ଦାବି କରିଛନ୍ତି ।

ବିଧାୟକଙ୍କ ଏପରି ଆଚରଣ ବିଜେପିର ମହିଳା ବିରୋଧୀ ଆଭିମୁଖ୍ୟକୁ ଦର୍ଶାଉଛି । ଯେଉଁ ବିଜେପି ନେତାମାନେ ମହିଳା ବିରୋଧୀ କୁତ୍ସିତ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛି ସିପିଏମ । କାହାକୁ ବ୍ୟକ୍ତିଗତ ଆକ୍ଷେପ ଉଚିତ ନୁହେଁ । ଭୁଲ ସବୁବେଳେ ଭୁଲ। ସାଧାରଣ ଜୀବନରେ ରହିଥିବା ବ୍ୟକ୍ତିର ଉଚ୍ଚାରଣ ଓ ଆଚରଣରେ ସଂଯମତା ରହିବା ଆବଶ୍ୟକ । ବିଧାୟକ ସନ୍ତୋଷ ଖଟୁଆଙ୍କ ବୟାନକୁ ସମାଲୋଚନା କରିଛନ୍ତି ନୀଳଗିରିର ରାଣୀ ତଥା ପୂର୍ବତନ କଂଗ୍ରେସ ବିଧାୟିକା ପ୍ରାର୍ଥିନୀ ମନୋଜା ମଞ୍ଜରୀ ଦେବୀ ।

ଜଣେ ମହିଳା ନେତ୍ରୀଙ୍କ ବିରୋଧରେ ବିଧାୟକ ସନ୍ତୋଷ ଖଟୁଆ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହା ତାଙ୍କ ଦଳକୁ ମଧ୍ୟ ଅଡୁଆରେ ପକାଇଛି । ଆଗକୁ ସଂସଦ ଓ ବିଧାନସଭାର ମୌସୁମୀ ଅଧିବେଶନ । ଏହି ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ସଜବାଜ ହେଲେଣି ବିରୋଧୀ ।