ୟଶ ଦୟାଲଙ୍କୁ ହୋଇପାରେ ୧୦ ବର୍ଷ ଜେଲ: ପୀଡ଼ିତା ଦାଖଲ କଲେ ବଡ଼ ପ୍ରମାଣ

ଭାରତୀୟ କ୍ରିକେଟର ୟଶ ଦୟାଲଙ୍କ ପାଇଁ ସମସ୍ୟା ବଢ଼ିପାରେ । ୟଶଙ୍କ ଉପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ଅଧୀନରେ ଏଫଆଇଆର ଦାଖଲ କରାଯାଇଛି । ଆଇପିସିର ଏହି ଧାରା ଜାମିନବିହୀନ ଅଟେ । ଏହା ଅଧୀନରେ ୟଶଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇପାରେ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ପୀଡ଼ିତା ଯୁବତୀ ୟଶଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଦାୟର କରିଛନ୍ତି । ସେଥିମଧ୍ୟରେ ବିବାହର ବାହାନା ଦେଇ ଆର୍ଥିକ, ମାନସିକ ଓ ଶାରୀରିକ ଶୋଷଣ କରିବା ଆଦି ଅଭିଯୋଗ ସାମିଲ ରହିଛି ।

ୟଶ ବିବାହର ବାହାନା ଦେଖାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ପୀଡ଼ିତା ପୋଲିସକୁ କହିଛନ୍ତି । ପୀଡ଼ିତା ନିଜର ଅଭିଯୋଗର ସନ୍ଦର୍ଭରେ ହ୍ବାଟସଆପ ଚାଟର ସ୍କ୍ରିନଶଟ, ଭିଡିଓ କଲ ଓ ଫଟୋ ଆଦି ପ୍ରମାଣ ଦାଖଲ କରିଛନ୍ତି । ଏହାକୁ ନେଇ ପୋଲିସ ଏକବେ ଛାନବିନ ଆରମ୍ଭ କରିଛି । ପୀଡ଼ିତାଙ୍କ ମେଡିକାଲ ଟେଷ୍ଟ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଆଇନଗତ ଭାବେ ବୟାନ ରେକର୍ଡ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ । ଯଦି ୟଶଙ୍କ ଉପରେ ଲାଗିଥିବା ଅଭିଯୋଗ ପ୍ରମାଣିତ ହୁଏ, ତେବେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ।