ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ଦିଗହରା ପାଲଟିଛି ମହିଳା ଓ ଶିଶୁ ବିକାଶ ଯୋଜନା । ଅଧପନ୍ତରିଆ ଅବସ୍ଥାରେ କୁଇବାହାଲ ପଞ୍ଚାୟତର ସମରସିଂ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର କୋଠା । ଦୀର୍ଘ ବର୍ଷେ ବିତିଥିଲେ ବି କୋଠାଟି ସଂପୂର୍ଣ୍ଣ ହୋଇପାରୁନଥିବାରୁ ଅଙ୍ଗନବାଡି କର୍ମୀଙ୍କ ଘରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା । ସମସ୍ଯା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ।

ଉପାନ୍ତ ଅଞ୍ଚଳରେ ପ୍ରାକ ଶିକ୍ଷାର ବିକଳ ଚିତ୍ର । ଅଙ୍ଗନବାଡି କର୍ମୀ ଅଛନ୍ତି ଅଥଚ ନାହିଁ ଅଙ୍ଗନବାଡି ଗୃହ । କର୍ମୀଙ୍କ ଘରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାୟତର ସମରସିଂ ଗାଁରେ ଦେଖିବାକୁ ମିଳିଛି ଏଭଳି ଅବ୍ଯବସ୍ଥା । ସମରସିଂ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର ଘର ଅଧପନ୍ତରିଆ ଅବସ୍ଥାରେ ପଡିରହିଥିବାରୁ ସମସ୍ଯାର ସମ୍ମୁଖୀନ ହେଉଛନ୍ତି ପିଲା ।

ଗାଁରେ ବର୍ଷେ ହେଲା ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ନୂତନ ଘର ନିର୍ମାଣ ଚାଲିଛି । ହେଲେ ତାହା ସରିବାର ନାଁ ଧରୁନି । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି । ଏନେଇ ନନ୍ଦିଘୋଷ ଟିଭି ପ୍ରତିନିଧି ତୁରେକେଲା ସିଡିପିଓଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ଯା ସଂପର୍କରେ ପ୍ରଶାସନକୁ ଚିଠି ଲେଖିଛୁ । ଅନୁଦାନ ଆସିଲେ କାମ ହେବ । ଏଭଳି ସମସ୍ଯା ଭିତରେ ଥିବା ଅଙ୍ଗନବାଡି କେନ୍ଦ୍ରର ଭାଗ୍ଯ କେବେ ବଦଳିବ ? ଅଧପନ୍ତରିଆ କୋଠା କାମ କେବେ ନିର୍ମାଣ ସରିବ ? ଏ ଦିଗରେ ଜିଲ୍ଲା ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।