ରତ୍ନ ସିଂହାସନକୁ ଫେରିଛନ୍ତି କୋଟି କୈବଲ୍ୟନାଥ ; ଆଜିଠୁ ପୁଣି ଭକ୍ତ ପାଇବେ ନୀଳାଚଳ ଅବଢା

ନନ୍ଦିଘୋଷ ବ୍ୟୁରୋ : ପୁଣି ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର । ଘୋଷଯାତ୍ରା ସାରି ରତ୍ନ ସିଂହାସନକୁ ଫେରିଛନ୍ତି କୋଟି କୈବଲ୍ୟନାଥ । କୈବଲ୍ଯ ପାଇଁ କୃତାର୍ଥ ହେବେ ଶ୍ରଦ୍ଧାଳୁ । ଆଜିଠାରୁ ପୁଣି ବାହାରିବ ନୀଳାଚଳ ଅବଢା । ଏଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ଓ ରୋଷଘର । ପ୍ରାୟ ଏକମାସ ପରେ ମହାପ୍ରଭୁଙ୍କ ନିକଟରେ ଲାଗିହେବ ଅନ୍ନ ପ୍ରସାଦ । ମହାଲକ୍ଷ୍ମୀଙ୍କ ହାତ ପରସା ଖାଇବେ ମହାବାହୁ । ସାରା ଜଗତକୁ ମିଳିବ ଅନ୍ନ । ଗତକାଲି ବିଳମ୍ବିତ ରାତିରେ ସରିଛି ନୀଳାଦ୍ରି ବିଜେ ନୀତି । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବାହୁଡ଼ାବେଳେ ମାନବୀୟ ଲୀଳା ଦେଖି ଆତ୍ମବିଭୋର ହୋଇଥିଲେ ଶ୍ରଦ୍ଧାଳୁ । ମହାପ୍ରଭୁ ଶ୍ରୀମନ୍ଦିର ପ୍ରବେଶ କରିବା ବେଳେ ଅଭିମାନିନୀ ମହାଲକ୍ଷ୍ମୀ ସିଂହଦ୍ବାର କବାଟ ବନ୍ଦ କରି ଦେଇଥିଲେ । ରସଗୋଲା, ପାଟ ବସ୍ତ୍ର ସହ ଗୁପ୍ତ ଗୁଣ୍ଡିଚା ପାଇଁ ପ୍ରତିଶ୍ରୁତି ଦେବା ପରେ ଦେଉଳକୁ ପ୍ରବେଶ କରିଛନ୍ତି ମହାପ୍ରଭୁ ।