ପଲ୍ଲୀରୁ ଦିଲ୍ଲୀ ଭାରତ ବନ୍ଦ: ଅଟକିଗଲା ରାଜରାସ୍ତାରୁ ରେଳ ଷ୍ଟେସନ, କେନ୍ଦ୍ର ବିରୋଧରେ ଗର୍ଜିଲେ ବାମପନ୍ଥୀ ସଂଗଠନ

ନନ୍ଦିଘୋଷ ବ୍ୟୁରୋ: ପଲ୍ଲୀରୁ ଦିଲ୍ଲୀ ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିଛି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ୧୭ ଦଫା ଦାବିରେ ଏହି ବିକ୍ଷୋଭ କରାଯାଇଛି । ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରତିବାଦ କରାଯିବା ସହ ରେଳ ରୋକ ହୋଇଥିଲା । ସେହିପରି ଭୁବନେଶ୍ୱର ସରକାରୀ ବସଷ୍ଟାଣ୍ଡରେ ବିକ୍ଷୋଭ ହୋଇଛି । ଦାବି ପୂରଣ ନ ହେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ ।
ଭୋରରୁ ୧୭ ଦଫା ଦାବି ନେଇ ହରତାଳ କରିଥିଲା କେନ୍ଦ୍ରୀୟ ଶ୍ରମିକ ସଂଗଠନ । ଭୁବନେଶ୍ବର ରେଳ ଷ୍ଟେସନ ସମେତ ବିଭିନ୍ନ ଜିଲ୍ଲାରେ ହୋଇଥିଲା ରେଳରୋକ । ମାଷ୍ଟର କ୍ୟାଣ୍ଟିନ ଛକରେ ଅଟକି ଥିଲା ଆମ ବସ୍ । କେନ୍ଦ୍ର ସରକାରଙ୍କ ୧୧ ବର୍ଷ ମଧ୍ୟରେ ଶ୍ରମଜୀବୀମାନଙ୍କର ଦୁର୍ଦ୍ଦଶା ଏହାର ଚରମ ସୋପାନରେ ପହଞ୍ଚିଛି । ବେକାରୀ, ଦୁରାବସ୍ଥା ଓ ଅସମାନତା ଏବେ ଆକାଶ ଛୁଆଁ । ମଜୁରୀର ପରିମାଣ କମିବାରେ ଲାଗିଛି । ଶ୍ରମିକଙ୍କର ଅଧିକାର ତଥା ସାମାଜିକ ସୁରକ୍ଷା ନଷ୍ଟ ହେବାରେ ଲାଗିଛି ।ଶ୍ରମିକଙ୍କୁ ସପ୍ତାହକୁ ୭୦ ରୁ ୯୦ ଘଣ୍ଟା କାମ କରାଇବା ପାଇଁ କର୍ପୋରେଟ ଜଗତ ପକ୍ଷରୁ ଚିତ୍କାର କରାଯାଉଛି । ୪ଟି ଶ୍ରମକୋଡ ପ୍ରସ୍ତୁତ କରିବା ପରେ କେନ୍ଦ୍ର ସରକାର ଏହାକୁ ଲାଗୁ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଶ୍ରମକୋଡ ଲାଗୁ ହୋଇଗଲେ ଶ୍ରମିକ ଶ୍ରେଣୀ କର୍ପୋରେଟ ବା ମାଲିକ ଶ୍ରେଣୀଙ୍କର ଗୋଲାମ ହୋଇଯିବେ । ୩ଟି କଳା କୃଷି ଆଇନକୁ ଫେରାଇ ନେବା ପରେ କେନ୍ଦ୍ର ସରକାର ପୁରୁଣା କଳା ଆଇନଗୁଡ଼ିକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଅଛନ୍ତି । କୃଷକଙ୍କଠାରୁ ଚାଷ ଜମି ଛଡ଼ାଇ ନେଇ ଉଦ୍ୟୋଗପତିଙ୍କୁ ସମର୍ପି ଦେବ ବୋଲି ଅଭିଯୋଗ ହୋଇଛି ।
କେନ୍ଦ୍ରୀୟ ଶ୍ରମିକ ସଂଗଠନର ଡାକରାରେ ସାମିଲ ହୋଇଥିଲା ବିଜୁ ଶ୍ରମିକ ସାମୁଖ୍ୟ । ୪ ଶ୍ରମ କୋଡ ବାତିଲ ଓ ସର୍ବନିମ୍ନ ମାସିକ ଦରମା ୨୬ ହଜାର ଟଙ୍କା ଦାବି କରିଥିଲା । ଭାରତ ବନ୍ଦର ପ୍ରଭାବ ଓଡିଶାରେ ପ୍ରମୁଖ ସହରରୁ ଗ୍ରାମାଞ୍ଚଳରେ ପଡିଥିଲା । ଭୁବନେଶ୍ବରରେ ସମସ୍ତ ରାଜନୈତିକ ଦଳର ନେତା ଗାନ୍ଧୀ ମାର୍ଗରେ ବିକ୍ଷୋଭ କରୁଥିବା ବେଳେ ପୋଲିସ ଉଠାଇ ନେଇଥିଲା । ଆନ୍ଦୋଳନକୁ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହିତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ମିଳିଛି ।