୧୧ରେ ଓଡ଼ିଶା ଆସିବେ ରାହୁଲ, କଂଗ୍ରେସ ଶିବିରରେ ଉତ୍ସାହ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଏଥିପାଇଁ ରାଜ୍ୟର କଂଗ୍ରେସ ଶିବିର ବେଶ ଉତ୍ସାହିତ । ରାହୁଲଙ୍କ ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଭେନୁଗୋପାଳ ମଧ୍ୟ ଆସୁଛନ୍ତି ।  ଆସନ୍ତା ଶୁକ୍ରବାର ୧୧ ତାରିଖରେ ଭୁବନେଶ୍ଵର ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶ କରାଯିବ । ଏହା ସହିତ କଂଗ୍ରେସ ଭବନରେ ବସିବ ବଡ଼ ବୈଠକ । ଏଥିରେ ଦଳର ନେତାଙ୍କୁ ଦିଆଯିବ ଗୁରୁମନ୍ତ୍ର । ୨୬ ବର୍ଷ ଧରି କ୍ଷମତା ବାହାରେ ଥିବା ରାଜ୍ୟ କଂଗ୍ରେସର ନେତା ରାହୁଲଙ୍କ ଗସ୍ତ ପୂର୍ବରୁ ଏକତାର ବାର୍ତ୍ତା ଦେଇଛନ୍ତି । କୃଷକ, ଦଳିତ, ନାରୀ ନିର୍ଯାତନା, ସାମାଜିକ ନ୍ୟାୟଠାରୁ ଆରମ୍ଭ କରି ରଥଯାତ୍ରା ଅଘଟଣ ପ୍ରସଙ୍ଗରେ ରାହୁଲ ଡବଲ ଇଂଜିନ ସରକାର ବିରୋଧରେ ରଣହୁଙ୍କାର ଦେଇପାରନ୍ତି । ତାଙ୍କ ଗସ୍ତକୁ ସଫଳ କରିବାକୁ କଂଗ୍ରେସ ଜୋରଦାର ପ୍ରସ୍ତୁତି କରିଛି ।

ଏକ ହୋଇ ଲଢ଼େଇ କଲେ ଓଡ଼ିଶାରେ କମବ୍ୟାକ୍ କରିବ କଂଗ୍ରେସ । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ଦିନକ ପୂର୍ବରୁ ଦଳର ନେତା କର୍ମୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାହୁଲଙ୍କ ଗସ୍ତକୁ ସଫଳ କରିବାକୁ ଛାମୁଆ ସଂଗଠନର ନେତାମାନଙ୍କୁ ଏକଜୁଟ କରି ଭକ୍ତ ଦାସ ମିଳିତ ପ୍ରେସମିଟ କରିଛନ୍ତି । ସେ କହିଛନ୍ତି, ଥରେ ନୁହେଁ, ଓଡିଶାକୁ ବାରମ୍ବାର ଆସିବେ ରାହୁଲ ଗାନ୍ଧି । ଆସନ୍ତା ଶୁକ୍ରବାର ସେ ସାଢ଼େ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ବରମୁଣ୍ଡା ପଡ଼ିଆ ଯିବେ । ତାଙ୍କୁ ଛକ ଛକରେ ସ୍ଵାଗତ କରିବେ କଂଗ୍ରେସ କର୍ମୀ । ୧୨ଟାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ଉଦବୋଧନ ଦେବେ । ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଳକୁ ମଧ୍ୟ ଭେଟିବେ । ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ପ୍ରଥମେ ରାଜନୈତିକ ବ୍ୟାପାର କମିଟି, ପରେ ବିଧାୟକ ଓ ପିସିସି କର୍ମକର୍ତ୍ତାଙ୍କ ସହିତ ରୁଦ୍ଧଦ୍ଵାର ବୈଠକ କରିବେ ରାହୁଲ ।

ରାଜ୍ୟରେ ୨୬ ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସର ଶୀର୍ଷ ନେତୃତ୍ଵ ପୁଣି ଥରେ ଓଡ଼ିଶାକୁ ଫୋକସ୍ କରିଛନ୍ତି । ତୃଣମୂଳସ୍ତରରେ ଦୁର୍ବଳ ହୋଇ ଯାଇଥିବା ସଂଗଠନକୁ ସଜାଡ଼ିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ନାରୀ ନିର୍ଯାତନା, ଚାଷୀ ସମସ୍ୟା, ଯୁବ ଓ ଛାତ୍ରଙ୍କୁ ପ୍ରତାରଣା, ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ସୁରକ୍ଷା, ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ ଆଦି ପ୍ରସଙ୍ଗ ଉଠାଇବେ ରାହୁଲ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଥା ଦେଇ କଥା ରଖିଛନ୍ତି ବୋଲି ମୋହନ ସରକାର ବଡ଼ ବଡ଼ ବ୍ୟାନର ମାରିଛନ୍ତି । ନିର୍ବାଚନ ଆଗରୁ କହିଥିଲେ, କଟନି ଛଟନି ଆଦୌ ହେବ ନାହିଁ । ହେଲେ ବିଜେପି ସରକାର ଆସିବା ପରେ ଏହା ବଢିଯାଇଛି । ପ୍ରେସମିଟରେ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ନେତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ରାହୁଲଙ୍କୁ ଜୋକର କହି କଟାକ୍ଷ କଲେ ଜୟ ନାରାୟଣ

ସେପଟେ ରାହୁଲ ଗାନ୍ଧିଙ୍କୁ ଜୋକର କହି କକ୍ଷାକ୍ଷ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ ରାହୁଲଙ୍କୁ ଜଣେ କମେଡିଆନ ବା ଜୋକର ବୋଲି କହିଛନ୍ତି । ସେ ଆସିଲେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସେହିଛନ୍ତି । ଏହାସହ ଏହା ବି କହିଛନ୍ତି, ସେମାନେ ପୁଣି ଶାସନକୁ ଆସିବେ ବୋଲି ଆଶା କରିବା ଭଲ । ସଶକ୍ତ ବିରୋଧୀ ଦଳ ରହିବା ଦରକାର ।