କାନାଡ଼ାରେ କପିଲ ଶର୍ମାଙ୍କ କାଫେ ଉପରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ୧୨ ରାଉଣ୍ଡ ଫାୟରିଂ

ନନ୍ଦିଘୋଷ ବ୍ୟୁରୋ: କାନାଡାର ସରେ ସହରରେ ଥିବା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କପସ୍ କାଫେରେ ଗୁଳିକାଣ୍ଡ । ଏକ କାରରେ ଦୁର୍ବୃତ୍ତମାନେ ଆସି ୧୦ରୁ ୧୨ ରାଉଣ୍ଡ ଗୁଳି ଚଲାଇଥିବା ଭିଡିଓ ହେଉଛି ଭାଇରାଲ । ଭିଡିଓରେ ଦେଖିବାକୁ ମିଳୁଛି, ଆକ୍ରମଣକାରୀ କାରରେ ଥାଇ ଏକ ବନ୍ଧୁକ ବାହାର କରିବା ପରେ ଗୁଳି ମାଡ଼ କରୁଛି । ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।

ଖାଲିସ୍ତାନୀ ଆତଙ୍କବାଦୀ କାଣ୍ଡ ଭିଆଇ ଥିବା କହିଲା

କପିଲଙ୍କ କାଫେ ଉପରେ ହୋଇଥିବା ଆକ୍ରମଣର ଦାୟିତ୍ବ ନିଜ ମୁଣ୍ଡକୁ ନେଇଛି ଖାଲିସ୍ତାନୀ ଆତଙ୍କବାଦୀ ହରଜିତ ସିଂହ ଲଡ୍ଡି । ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ରହିଛି ହରିଜିତ । ସେ ବବ୍ବର ଖାଲସା ଇଣ୍ଟରନ୍ୟାଶନାଲ (ବିକେଆଇ) ସହ ଜଡିତ । ମିଳିଥିବା ସୂଚନା ଅନୁସାରେ, କପିଲ ଶର୍ମାଙ୍କ କୌଣସି ପୁରୁଣା ବୟାନକୁ ନେଇ ଏହି ଆକ୍ରମଣ କରାଯାଇଥିବା ହରଜିତ କହିଛି । ତେବେ ଏହା ସ୍ପଷ୍ଟ ହୋଇନାହିଁ କପିଲ ଶର୍ମାଙ୍କ କାଫେ ସିଧା ଟାର୍ଗେଟ ଥିଲା କି କେବଳ ଧମକ ଦେବାକୁ ଏମିତି କରାଯାଇଛି ।

କାରରେ ଆସିଥିଲେ ଆକ୍ରମଣକାରୀ

ସୂଚନାଯୋଗ୍ୟ, ଗତ ରାତିରେ କପିଲ ଶର୍ମାଙ୍କ କପସ୍ କାଫେରେ ଫାୟରିଂ ହୋଇଥିଲା । ନିକଟରେ କପିଲ ଏହାର ଉଦଘାଟନ କରିଥିଲେ । ଏହାକୁ କପିଲଙ୍କ ପ୍ରଥମ ଇଣ୍ଟର ନ୍ୟାସନାଲ ରେଷ୍ଟୁରାଣ୍ଟ ପ୍ରୋଜେକ୍ଟ କୁହାଯାଉଛି । ଖବର ପାଇବା ପରେ ପୋଲିସ ଓ ଫରେନସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆକ୍ରମଣକାରୀ ଏକ କାରରେ ଆସି ଫାଏରିଂ କରିଥିଲେ ।