ଅପରାଧୀଙ୍କୁ ତ୍ରାହି ନାହିଁ… ରାଉରକେଲାରେ ଆରମ୍ଭ ହେଲେ ଇ-ବିଟ୍ ପାଟ୍ରୋଲିଂ ସିଷ୍ଟମ
1 min read
ନନ୍ଦିଘୋଷ ବ୍ୟୁରୋ : ରାଉରକେଲାରେ ଅପରାଧୀଙ୍କୁ ନାହିଁ ନିସ୍ତାର। ସହରର ୬୪୮ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ । ୧୦୦ ବିଟ କରାଯାଇ କଡ଼ାକଡ଼ି ହେବ ପାଟ୍ରୋଲିଂ । ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଆକସନ ମୋଡରେ ପୋଲିସ । ୧୨ଟି ପୋଲିସ ଥାନା ଆରମ୍ଭ ହେଲା ଇ-ବିଟ ପାଟ୍ରୋଲିଙ୍ଗ ସିଷ୍ଟମ । ରାଉରକେଲା ଏସପିଙ୍କ କାର୍ଯ୍ୟାଳୟ ପରିସରରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସପି ନିତେଶ ୱାଧୱାନୀ ଏହାର ଶୁଭାଶୁଭ କରିଛନ୍ତି । ସହରାଞ୍ଚଳ ପୋଲିସକୁ ଆଧୁନିକୀକରଣ କରିବା, ଜନସାଧାରଣଙ୍କ ସୁରକ୍ଷା ବୃଦ୍ଧି କରିବା ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପରାଧୀଙ୍କୁ କାବୁ କରିବାକୁ ଏପରି ପଦକ୍ଷେପ ନିଆଯାଇଛି । ଏହି ସିଷ୍ଟମରେ ଶହେରୁ ଅଧିକ ପୋଲିସ ନିୟୋଜିତ ହେବେ ।
ରାଉରକେଲା ସହରରେ ଥିବା ବିଭିନ୍ନ ଏଟିଏମ୍, ଧାର୍ମିକ ସ୍ଥଳ, ପାର୍କ, ବଜାର, ବରିଷ୍ଠ ନାଗରିକଙ୍କ ଘର ସମେତ ୬୪୮ଟି ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଛି । ପୋଲିସ ପକ୍ଷରୁ ଶହେଟି ବିଟ କରାଯାଇ ଶହେ ଜଣ ପୋଲିସଙ୍କୁ ଦାୟିତ୍ଵ ଦିଆଯାଇଛି । କୁଖ୍ୟାତ ଅପରାଧୀଙ୍କ ଗତିବିଧି ଅନୁଧ୍ୟାନ କରିବା ସ୍ଥାନୀୟ ବାସିନ୍ଦାଙ୍କ ସହିତ ଯୋଗାଯୋଗ କରି ଅପରାଧୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବେ ଅଧିକାରୀ। ପ୍ରତ୍ୟେକ ବିଟ ସ୍ଥାନର ଜିଓ ମ୍ୟାପ ହୋଇଛି । ବିଟ ଅଧିକାରୀ ମାନଙ୍କ ଦ୍ଵାରା ବ୍ଯବହୃତ ମୋବାଇଲ ଆପ ମାଧ୍ୟମରେ ପରିଦର୍ଶନ ଲଗଇନ କରାଯାଇଛି । ବିଟ ଅଧିକାରୀ ମାନଙ୍କ ଲୋକେସନ ଟ୍ରାକିଙ୍ଗ ସହ ଅସମ୍ପୂର୍ଣ୍ଣ ରାଉଣ୍ଡ ପାଇଁ ସ୍ବୟଂ ଚାଳିତ ସତର୍କତା ବ୍ଯବସ୍ଥା ହୋଇଛି । ଆଗାମୀ ଦିନରେ ଅନ୍ୟ ଥାନା ଅଧିନରେ ଏହି ସିଷ୍ଟମ କାର୍ଯ୍ଯକାରୀ କରାଯିବ । ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସିଷ୍ଟମକୁ ସ୍ବାଗତ କରିଛନ୍ତି ସହରବାସୀ ।