ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢା

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢା । ଅବ୍ୟବସ୍ଥା ଘେରରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୬୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନାହିଁ । ଫଳରେ ଖରା ହେଉ ବା ବର୍ଷା, ବର୍ଷ ତମାମ ସ୍କୁଲ ବାରଣ୍ଡାରେ ଚାଲୁଛି ପିଲାଙ୍କ ପାଠପଢା । ବାରଣ୍ଡାରେ ପାଠପଢା ହେଉଥିବାରୁ ଠିକ ଭାବରେ ପାଠ ପଢା ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।
ସ୍କୁଲରେ କୋଠରୀ କମ ଥିବାରୁ ସ୍କୁଲକୁ ଆସୁଥିବା ଶିକ୍ଷଣୀୟ ସାମଗ୍ରୀ, ଏମଡିଏମ ଚାଉଳ ମଧ୍ୟ ରଖିବାକୁ ସ୍ଥାନ ନଥିବାରୁ ତାହା ମଧ୍ୟ ନଷ୍ଟ ହେଉଛି । ଶ୍ରେଣୀ ଗୃହ ଅଭାବ ନେଇ ପ୍ରଶାସନ ନିକଟରେ ସ୍କୁଲ କମିଟି ପକ୍ଷରୁ ବାରାମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଅନ୍ୟପଟେ ଅଭିଯୋଗକୁ ସ୍ଵୀକାର କରିବା ସହ ଖୁବଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି କହିଛନ୍ତି ବିଇଓ । କେବେ ହିଆଁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ୟାର ସମାଧାନ ହେବ ? ତାହା ଉପରେ ସମସ୍ତଙ୍କ ନଜର ରହିଛି ।