କଙ୍ଗାରୁ କୋର୍ଟରେ ପ୍ରେମୀଯୁଗଳଙ୍କୁ ବଳଦ ଦଣ୍ଡ: ପ୍ରଶାସନ ପକ୍ଷରୁ ତଦନ୍ତ ଜାରି

1 min read

କଙ୍ଗାରୁ କୋର୍ଟରେ ପ୍ରେମୀଯୁଗଳଙ୍କୁ ବଳଦ ଦଣ୍ଡ । ପ୍ରଶାସନ ପକ୍ଷରୁ ତଦନ୍ତ ଜାରି । ଯୁବକ-ଯୁବତୀଙ୍କ ସହ ସରପଞ୍ଚ ଓ ଗ୍ରାମବାସୀଙ୍କୁ ପଚରାଉଚରା । ଉପ ଜିଲ୍ଲାପାଳଙ୍କ ସହ ତଦନ୍ତ ଆରମ୍ଭ କଲେ ୪ ଜଣିଆ ଟିମ୍ । ଭୁଲ ଥିଲା ଦୁହେଁ ଦୁହେଁ ଦୁହିଙ୍କୁ ଭଲ ପାଇ ବିବାହ କରିଥିଲେ । ହେଲେ ପରିବାର ଲୋକେ ସ୍ବୀକୃତି ଦେବାକୁ କହି ଗ୍ରାମସଭାରେ ହାଜର କରି ବଳଦ କରି ଗାଁରେ ହଳ ବୁଲାଇଲେ । ଆଦିବାସୀ ପରମ୍ପରାର ଦ୍ବାହି ଦେଇ ସର୍ବ ସମ୍ମୁଖରେ କାନ୍ଧରେ ପକାଇଲେ ଜୁହାଳି । ଗୋଟିଏ ବଂଶରେ ଗୋଟିଏ ଜାତିରେ ବିବାହ କରିଥିବାରୁ ଧରଣୀ ପେନୁ ରାଗିବ କହି ଗାଁ ଦାଣ୍ଡରେ ଦେଲେ ପଶୁତୁଲ୍ୟ ଦଣ୍ଡ । ନାରାୟପାଟଣା ବ୍ଲକ ବୋରିଗି ପଞ୍ଚାୟତ ପେଦାଇଟିକି ଗାଁର ଏହି ଘଟଣା ପଦାକୁ ଆସିବା ପରେ ଏବେ ଆରମ୍ଭ ହୋଇଛି ତଦନ୍ତ । ନାରାୟଣ ପାଟଣା ପୋଲିସ ଗାଁକୁ ଯାଇ ତଦନ୍ତ କରୁଛି । ଥାନାରେ ସରପଞ୍ଚ ସମେତ ଗାଁ ମୁଖିଆଙ୍କୁ ଡାକି ପଚରାଉଚରା କରିଛି ପୋଲିସ୍ । ତେବେ ଘଟଣା ପରେ ଯୁବକ ଜଣକ ତାଙ୍କ ପ୍ରେମିକାକୁ ଧରି ନିଜ ଘରକୁ ଫେରିଛନ୍ତି ।

ଖାଲି ଇଟିକି ନୁହେଁ ରାୟଗଡ଼ା କଲ୍ୟାଣସିଂହପୁରର କଞ୍ଜାମଯୋଡ଼ି ଗାଁରେ ମଧ୍ୟ ଏପରି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏପରି ବର୍ବରତା ଓ କୁସ୍ଚିତ କାର୍ଯ୍ୟ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ବିଭିନ୍ନ ସାମାଜିକ କର୍ମୀ ମାନବଧିକାର ଆୟୋଗ ନିକଟରେ ଫେରାଦ ହୋଇଛନ୍ତି । ପିଉସୀ ଓ ପୁତୁରାଙ୍କ ପ୍ରେମ ସଂପର୍କକୁ ବିରୋଧ କରି ଗତ ୯ ତାରିଖରେ କଞ୍ଜାମଯୋଡି ଗ୍ରାମବାସୀ ଉଭୟଙ୍କ ବେକରେ ଲଙ୍ଗଳ ପକାଇ ଜମିରେ ଚାଷ କରାଇଥିଲେ । ଘଟଣା ପରେ ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ସମେତ କଲ୍ୟାଣସିଂହପୁର ବିଡିଓ, ତହସିଲଦାର, ସିଡିପିଓ ଓ ସମାଜ ମଙ୍ଗଳ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । ସେପଟେ ଏନେଇ ମାମଲା ହେବା ସହ ତଦନ୍ତ ଚାଲିଛି । ଲୋକଙ୍କୁ ସଚେତନ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ  । ସଚେତନତା ଅଭାବରୁ ପରମ୍ପରା ନାଁରେ ଖୋଲାଖୋଲି ଭାବେ ମାନବାଧିକାର କ୍ଷୁର୍ଣ୍ଣ କରାଯାଉଛି । ଆଇନ କାନୁନ ପ୍ରତି ଭରସା ତୁଟିବାରେ ଲାଗୁଛି । ଏନେଇ ବ୍ୟାପକ ସଚେତନତାର ଆବଶ୍ୟକତା ଥିବା କହିଛନ୍ତି ବୁଦ୍ଧିଜୀବୀ ।