ପୃଥିବୀକୁ ଫେରିଲେ ମହାକାଶଚାରୀ ଶୁଭାଂଶୁ: ଜାଣନ୍ତୁ, ସାଙ୍ଗରେ କ’ଣ ଆଣିଛନ୍ତି ଓ କେମିତି ଥିଲା ଲ୍ୟାଣ୍ଡିଂ

1 min read

ନନ୍ଦିଘୋଷ ବ୍ୟୁରୋ: ୧୮ ଦିନ ମହାକାଶରେ ରହିବା ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ପୃଥିବୀକୁ ଫେରିଛନ୍ତି । ଜୁଲାଇ ୧୫ ଅପରାହ୍ନ ୩ଟାରେ ଅନ୍ତରାଷ୍ଟ୍ରୀୟ ଅନ୍ତରିକ୍ଷ ଷ୍ଟେସନ (ଆଇସିସି)ରୁ ଫେରି ପୃଥିବୀରେ ପାଦ ରଖି ଇତିହାସ ରଚିଛନ୍ତି ଭାରତୀୟ ମହାକାଶଚାରୀ ଗ୍ରରପ୍ କ୍ୟାପଟେନ ଶୁଭାଂଶୁ । ଏହା ତାଙ୍କର ପ୍ରଥମ ଅନ୍ତରି’ ଯାତ୍ରା ଥିଲା ଯାହା ଏକ୍ସିଓମ ମିଶନ-୪ (Ax-4)ର ଏକ ଅଂଶ ଥିଲା । ଶୁଭାଂଶୁ ସ୍ପେସଏକ୍ସର ଗ୍ରେସ୍ ଯାନରେ ପୃଥିବୀକୁ ଫେରିଛନ୍ତି । ଯାହା କାଲିଫର୍ଣ୍ଣିଆ ନିକଟରେ ପ୍ରଶାନ୍ତ ମହାସାଗରରେ ଲ୍ୟାଣ୍ଡ କରିଥିଲା । ଶୁଭାଂଶୁଙ୍କ ସମେତ ୪ ଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି । ଏବେ ଆସନ୍ତୁ ଜାଣିବା ଏମାନେ ଫେରିବା ବେଳର ସମୟ କେମିତି ଥିଲା । ମହାକାଶରୁ ଏମାନେ ସାଙ୍ଗରେ କ’ଣ ଆଣିଛନ୍ତି ।

ସୂଚନାଯୋଗ୍ୟ, ଶୁଭାଂଶୁ ଜୁନ ୨୫ରେ ଫାଲକନ-୯ ରକେଟରେ ଯାଇ ତା’ ପରଦିନ ଆଇସିସିରେ ପହଞ୍ଚି ଥିଲେ । ଏହି ସମୟରେ ସେ ୬୦ରୁ ଅଧିକ ବୈଜ୍ଞାନିକ ପ୍ରୟୋଗ କରିଥିଲେ । ଯେଉଁଥିରେ ମାଂସପେଶୀ ହାନୀ, ମାନସିକ ସ୍ବାସ୍ଥ୍ୟ ଓ ଅନ୍ତରି’ରେ ଚାଷ ପରି ବୈଜ୍ଞାନିକ ପ୍ରୟୋଗ କରିଥିଲେ ।

ଜୁଲାଇ ୧୪ରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟା ୪୫ରେ ଗ୍ରେସ ଯାନରେ ଆଇସିସିରୁ ଅଲଗା ହୋଇ ପୃଥିବୀ ଆଡକୁ ଅଗ୍ରସର ହୋଇଥିଲେ । ଲ୍ୟାଣ୍ଡିଂ ସମୟରେ ଗ୍ରେସ ଯାନ ଏକାଧିକ ପର୍ଯ୍ୟାୟ ଦେଇ ଗତି କରିଥିଲା ।

ଲ୍ୟାଣ୍ଠିଂର ରୋମାଞ୍ଚ

ଗ୍ରେସ ଯାନ ଲ୍ୟାଣ୍ଡିଂ ପୂର୍ବରୁ ଏକ ଜୋରଦାର ସୋନିକ ବୁମ୍ ଶୁଣିବାକୁ ମିଳିଥିଲା । ଯାହା ଏହାର କ୍ଷୀପ୍ର ଗତିର ସଙ୍କେତ ଥିଲା । ଲ୍ୟାଣ୍ଡିଂ ସମୟରେ ଯୋଗାଯୋଗ କିଛଇ ସମୟ ପାଇଁ ବନ୍ଦ ହୋଇଯାଇଥିଲା । କାରଣ ପ୍ଲାଜମା ସ୍ତର ସିଗନାଲକୁ ବ୍ଲକ କରୁଥିଲା । ହେଲେ ଉଦ୍ଧାରକାରୀ ଟିମଙ୍କ ଡଙ୍ଗା ଓ ହେଲିକପ୍ଟର ତୁରନ୍ତ ଆକ୍ଟିଭ ହୋଇଯାଇଥିଲା । ଏହାପରେ ଶୁଭାଂଶୁଙ୍କ ସମେତ ୪ ଜଣ କ୍ରୁ ମେମ୍ବର ସୁରକ୍ଷିତ ବାହାରକୁ ଆସିଥିଲେ ।

ସାଙ୍ଗରେ କ’ଣ ଆଣିଛନ୍ତି ଶୁଭାଂଶୁ

ଶୁଭାଂଶୁଙ୍କୁ ନେଇ ଫେରିଥିବା ଗ୍ରେସ ଯାନ ସାଙ୍ଗରେ ୫୮୦ ପାଉଣ୍ଡ (ପ୍ରାୟ ୨୬୩ କେଜି) ଓଜନର ସାମଗ୍ରୀ ଆଣିଛନ୍ତି । ଏଥିରେ ନାଶର ହାର୍ଡଓ୍ବେର, ପ୍ରୟୋଗ ଡାଟା, ଓ ଆଇସିସିରୁ କିଛି ଅଳିଆ ରହିଛି । ତେବେ ଶୁଭାଂଶୁ ସାଙ୍ଗରେ ଆଣିଥିବା ଅନ୍ତରିକ୍ଷ ଡାଟା ମାନବ ଜୀବନ ଓ ବିଜ୍ଞାନକୁ ବୁଝିବାକୁ ସହାୟକ ହେବ । ଏହି ଗସ୍ତ ସମୟରେ ଶୁଭାଂଶୁ ତ୍ରିରଙ୍ଗା ଓ ତାଙ୍କ ପୁଅର ଖେଳନା ହଂସକୁ ସାଙ୍ଗରେ ନେଇଥିଲେ ।

ଅବତରଣ ପରେ ଶୁଭାଂଶୁ ଓ ତାଙ୍କ ସହଯୋଗୀଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଛି । ଏମାନେ ପ୍ରାୟ ୧୦ ଦିନ କ୍ବାରେଣ୍ଟାଇନରେ ରହିବେ । ଏହି ସମୟରେ ତାଙ୍କ ଉପରୁ ଅନ୍ତରିକ୍ଷ ପ୍ରଭାବ କମିବ । ଏହି ସମୟରେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯିବ । ଏହା ଭାରତ ପାଇଁ ଏକ ମାଇଲ ଖୁଣ୍ଟ ପରି । ଯାହା ଗଗନଯାନ ଏବଂ ଭବିଷ୍ୟତର ଅନ୍ତରିକ୍ଷ ଅଭିଯାନ ପାଇଁ ପ୍ରେରଣା ଦେବ । ଏହି ଅବସରରେ ଶୁଭାଂଶୁ କହିଛନ୍ତି, ଅନ୍ତରିକ୍ଷରେ ଭାରତର ପତାକା ଉଠାଇବା ଗର୍ବର ବିଷୟ । ଏହା ନୂଆ ଆରମ୍ଭର ପ୍ରସ୍ତୁତି ।