ଡାକ୍ତରଙ୍କ ଅଜବ କାରନାମା ! ଥଣ୍ଡା ରୋଗୀଙ୍କୁ କ୍ୟାନସର ମେଡିସିନ, ସୁସ୍ଥ ମହିଳାଙ୍କୁ ବାଞ୍ଝପଣ ଦୂର କରିବାର ମେଡିସିନ୍

1 min read

ଅନେକ ସମୟରେ ଡାକ୍ତରଙ୍କ ଖାମଖିଆଲି କାର୍ଯ୍ୟ କାରଣରୁ ରୋଗୀଙ୍କ ଜୀବନ ଚାଲିଯାଇଥାଏ । ଏହା ମଧ୍ୟରେ ରାଜସ୍ଥାନରୁ ଆସିଛି ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଜଣେ ଡାକ୍ତର ଥଣ୍ଡା-ସର୍ଦ୍ଦି ରୋଗୀଙ୍କୁ କ୍ୟାନସର ମେଡିସିନ ଦେଇଥିବା ଖବର ସାମ୍ନାକୁ ଆସିଛି । ଡାକ୍ତରଙ୍କ ଏହି କାରନାମା ପରେ ରୋଗୀଙ୍କର ଡାକ୍ତରଙ୍କ ଉପରୁ ଭରସା ଉଠିଯିବା ସହ ଘଟଣାଟି ସଭିଙ୍କୁ ତାଜୁବ କରିଦେଇଛି । ଅଭିଯୋଗ ଅନୁଯାୟୀ, ସରକାରୀ ହସ୍ପିଟାଲର ଡାକ୍ତରମାନେ ସାମାନ୍ୟ ସର୍ଦ୍ଦି, ମୁଣ୍ଡବ୍ୟଥା ବା ହାଲୁକା ବୁଖାର ପାଇଁ କ୍ୟାନସର, କିଡନୀ ଫେଲୁଅର ଓ ହାର୍ଟ ରୋଗ ପରି ଗମ୍ଭୀର ବିମାରୀର ମହଙ୍ଗା ମେଡିସିନ ଲେଖିଥିଲେ । ଗର୍ଭବତୀ ମହିଳାଙ୍କୁ ବାଞ୍ଝପଣ ଦୂର ପାଇଁ ମେଡିସିନ ଦିଆଯାଇଥିଲା । ପୂରା ମାମଲାରେ ଡାକ୍ତର, ମେଡିକାଲ ଷ୍ଟୋର ସଞ୍ଚାଳକ ଓ ଲ୍ୟାବ ମାଲିକଙ୍କ ମଧ୍ୟରେ କମିଶନର ଖେଳ ଚାଲିଥିବା ନେଇ ପ୍ରମାଣ ମିଳିଛି ।

ଏହି ମାମଲାରେ ଗଡ଼ବଡ଼ ନେଇ ଖୁଲାସା ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଯାଇଛି । ମାମଲାରେ ଅଲଭର ଜିଲ୍ଲାର ୧୧ ଜଣ ଡାକ୍ତର ଓ ଅନେକ ମେଡିକାଲ ଷ୍ଟୋର ସଞ୍ଚାଳକଙ୍କୁ ନୋଟିସ୍ ଦିଆଯାଇଛି । ଜଣେ ସୁସ୍ଥ ମହିଳାଙ୍କ ପାଇଁ ପର୍ଚିରେ ବାଞ୍ଝପଣର ଔଷଧ ଲେଖାଯାଇଥିଲା । ସେହିପରି ହାଲୁକା ବୁଖାର ରୋଗୀଙ୍କ ପର୍ଚିରେ କ୍ୟାନସର ଓ ହାର୍ଟ ସମ୍ବନ୍ଧିତ ମେଡିସିନ ଲେଖାଯାଇଥିଲା । କିଛି ଡାକ୍ତର ରୋଗୀଙ୍କୁ ନ ଦେଖି ମଧ୍ୟ ଔଷଧ ପର୍ଚି ତିଆରି କରିଥିବା ଖବର ସାମ୍ନାକୁ ଆସିଛି । କିଛି ମାମଲାରେ ରୋଗୀଙ୍କୁ ସୂଚନା ନଦେଇ ତାଙ୍କ ନାମରେ ଔଷଧ କିଣାଯାଇଛି ଓ ରେକର୍ଡରେ ଚଢ଼ାଯାଇଛି । ଏଆଇ ଟେକନିକ ଦ୍ବାରା କରାଯାଇଥିବା ଡାଟା ଆନାଲିସିସ ପରେ ଏହି ଘୋଟାଲା ସାମ୍ନାକୁ ଆସିଥିଲା ।