ଏଫଏମ କଲେଜ ଘଟଣାରେ ତିନୋଟି ଟିମର ତଦନ୍ତ, ବାସ୍ତବତା ବାହାରକୁ ଆସିବ ନା ପରଦା ପଛରେ ରହିଯିବ

ନନ୍ଦିଘୋଷ ବ୍ୟୁରୋ: କେଉଁ ପରିସ୍ଥିତିରେ ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ? ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ କିଏ ତାଙ୍କୁ ଉସୁକାଇଥିଲେ କି ? ପେଟ୍ରୋଲ ସେ ନିଜେ କିଣିଥିଲେ ନା ଆଉ କିଏ ଆଣିଥିଲା । ନିଲମ୍ବିତ ହୋଇ ଗିରଫ ହୋଇଥିବା ଅଭିଯୁକ୍ତ ଏଚଓଡି ଛାତ୍ରଛାତ୍ରୀଙ୍କ ପ୍ରତି କେମିତି ଆଚରଣ କରୁଥିଲେ ? ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ଅଭିଯୋଗ ପରେ ଆଇସିସି କ’ଣ ସବୁ ପଦକ୍ଷେପ ନେଇଥିଲା । ତାଙ୍କ ନାଁରେ ଆଉ କିଛି ଅଭିଯୋଗ ଅଛି କି ? ଏସବୁ ପ୍ରଶ୍ନର ଉତ୍ତର ମିଳିଲେ, ପୂରା ଘଟଣା ଉପରୁ ଉଠିବ ପରଦା । କଲେଜକୁ ଯାଇ ଛାନବିନ୍ କରୁଛନ୍ତି ୟୁଜିସି, ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚର ଟିମ । ପରିବାର ଲୋକଙ୍କଠାରୁ ବି ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ । ଏକା ସାଙ୍ଗରେ ତିନିଟି ସଂସ୍ଥା ତଦନ୍ତ କରୁଛନ୍ତି । ହେଲେ ଏହା କେବଳ ତଦନ୍ତରେ ରହିଯିବ ନା ବାସ୍ତବ କଥା ସାମନାକୁ ଆସିବ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

କେବଳ ଅଭିଯୁକ୍ତ ଏଚଓଡି ଓ ନିଲମ୍ବିତ ଅଧ୍ୟକ୍ଷଙ୍କୁ ଗିରଫ କରି ସରକାର ଚୁପ । ଆଉ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନି । ଛାତ୍ରୀ ଆତ୍ମାହୁତି ଘଟଣାରେ ବାଲେଶ୍ଵର ଏଫଏମ କଲେଜରେ ଗୋଟିଏ ଦିନରେ ତିନି ତିନିଟି ଯାଞ୍ଚ ଟିମ୍‌ ପହଞ୍ଚିଛନ୍ତି, ହେଲେ ହାତ ଖାଲି । ଘଟଣାଟି ଏବେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ପାଲିଟିଲାଣି । କ୍ରାଇମବ୍ରାଞ୍ଚ ଟିମ୍‌ ଛାନବିନରୁ କାହାରି ସମ୍ପୃକ୍ତି ଥିବା ନେଇ କିଛି ଜଣାପଡ଼ିଲାନି କି ? ତଦନ୍ତ ଆଳରେ ସରକାର ପୂର୍ବ ସବୁ ଘଟଣା ପରି ସମୟ ଗଡ଼ାଇ ଚାଲିଛନ୍ତି । ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି । ପ୍ରଥମ ଦଫାରେ ଉଚ୍ଚଶିକ୍ଷା ବିଭାଗର ଟିମ୍‌ ତଦନ୍ତ କରି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ପ୍ରଦାନ କଲା । ହେଲେ ସେ ରିପୋର୍ଟରେ କ’ଣ ରହିଛି ତାକୁ ସରକାର ଏ ପର୍ଯ୍ୟନ୍ତ ସାଧାରଣରେ ପ୍ରକାଶ କରିନାହାନ୍ତି । ଏବେ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ଉଚ୍ଚଶିକ୍ଷା ବିଭାଗର ଟିମ୍ ଓ କ୍ରାଇମବ୍ରାଞ୍ଚ ତନାଘନା କରୁଛନ୍ତି । କଲେଜ କର୍ତ୍ତୃପକ୍ଷ ଓ ଆଇସିସିର ସଦସ୍ୟଙ୍କୁ ପଚରା ଉଚରା କରିଛନ୍ତି ୟୁଜିସି ଓ ଉଚ୍ଚଶିକ୍ଷା ବିଭାଗର ଟିମ୍ ।

ସେପଟେ କ୍ରାଇମବ୍ରାଞ୍ଚ ଟିମ୍ କଲେଜ ନିକଟସ୍ଥ ପେଟ୍ରୋଲ ପମ୍ପକୁ ଯାଇ ତନାଘନା କରିଛି । ଆଇଓ ପାଞ୍ଚାଳୀ ରାଉତଙ୍କ ଟିମ୍ ପେଟ୍ରୋଲ ପମ୍ପର ସିସିଟିଭି ହାର୍ଡ ଡିସ୍କ ଜବତ କରିବା ସହିତ ପେଟ୍ରୋଲ ପମ୍ପ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ପଚରା ଉଚୁରା କରିଛନ୍ତି । କଲେଜର କିଛି ପଦାଧିକାରୀଙ୍କ ବି ବୟାନ ନିଆଯାଇଛି । ଛାତ୍ରୀ ଜଣକ ନିଜେ ପେଟ୍ରୋଲ ଆଣିଥିଲେ ନା ଆଉ କିଏ ଆଣିଥିଲା, ତାର ଛାନବିନ୍ କରାଯାଉଛି । ମୃତ ଛାତ୍ରୀଙ୍କ ଘରକୁ ଯାଇ ମଧ୍ୟ ପରିବାର ସଦସ୍ୟଙ୍କୁ ପଚରା ଉଚରା କରାଯାଇଛି । ଛାତ୍ରୀ ନିଜେ ନିଆଁ ଲଗାଇଲେ ନାଁ ତାଙ୍କୁ ଦେହରେ ନିଆଁ ଲଗାଇ ଦିଆଗଲା ?  ନିଆଁ ଲାଗିବା ପରେ ସେ ଅଧ୍ୟକ୍ଷଙ୍କ କକ୍ଷା ଆଡ଼କୁ ଗଲେ । କଲେଜରେ ଅଗ୍ନି ନିର୍ବାପକ ସିଲିଣ୍ଡର ଥିଲା ନା ନାହିଁ । ଯଦି ଥିଲା ତା’ ହେଲେ କେହି ବି କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କଲେ ନାହିଁ କାହିଁକି ? ସିସିଟିଭି ଆଢ଼ୁଆଳରେ ରହି ଛାତ୍ରୀ ଜଣଙ୍କ ଜଳୁଥିବା ଦୃଶ୍ୟ ଦେଖିବାକୁ ମିଳିଲା । ସେଠାରେ ଆଗରୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ହଠାତ ଉଠିଗଲେ କାହିଁକି ? ଏ ପ୍ରଶ୍ନର ଉତ୍ତର ଖୋଜୁଛି କି କ୍ରାଇମବ୍ରାଞ୍ଚ ?

ଏଫଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ବିରୋଧୀଙ୍କ ପ୍ରଶ୍ନବାଣରେ ଘାଇଲା ସରକାର । ବାସ୍ତବରେ ସରକାର ମୃତକଙ୍କ ପରିବାରକୁ ନ୍ୟାୟ ଦେବେ ନା କିଛି ଦିନ ପରେ ଏହା ନାଲିଫିତା ତଳେ ଚାପି ହୋଇଯିବ ସେ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।