ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା: ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ବିଜେଡି କରିବ ଲଢ଼େଇ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ପ୍ରତିବାଦ । ବିଚାର ବିଭାଗୀୟ ତଦନ୍ତ ଦାବି ଜିଦରେ ଅଟଳ ବିଜେଡି । ଲୋକସେବା ଭବନ ଘେରାଉ ପରେ ଜନତା ମଇଦାନର ଗାନ୍ଧୀମୂର୍ତ୍ତି ତଳେ ଦଳର ନିରବ ପ୍ରତିବାଦ । ଛାମୁଆ ନେତା, ବିଧାୟକ, ଯୁବ ଛାତ୍ର ମହିଳା ନେତ୍ରୀ ମୁହଁରେ କଳାପଟି ବାନ୍ଧି ଧାରଣା ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଲଢ଼େଇ ଜାରି ରଖିବାକୁ ଦଳ ଦେଇଛି ଚେତାବନୀ । ଏହାସହ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ନିନ୍ଦା କରିଛି ଦଳ ।

ମୁହଁରେ କଳାପଟି, ହାତରେ ପ୍ଲାକାର୍ଡ । ଲୋକସେବା ଭବନ ଘେରାଉ ପରେ ଜନତା ମଇଦାନର ଗାନ୍ଧୀ ମୂର୍ତ୍ତି ତଳେ ନିରବ ପ୍ରତିବାଦ କରିଛି ବିଜେଡି । ଦଳର ଛାମୁଆ ନେତା, ବିଧାୟକ, ମହିଳା ନେତ୍ରୀ, ଯୁବ ଛାତ୍ର ନେତା ଏକାଠି ହୋଇ ସରକାରଙ୍କ ବିରୋଧରେ କରିଛନ୍ତି ନିରବ ପ୍ରତିବାଦ । ବାଲେଶ୍ବର ଘଟଣାର କରାଯାଉ ବିଚାର ବିଭାଗୀୟ ତଦନ୍ତ । ରାଜ୍ୟରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଥିବାରୁ ବାଲେଶ୍ବର ଛାତ୍ରୀଙ୍କ ମୃତ୍ୟୁ ହେଲା । ବରିଷ୍ଠ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ କହିବା କଥା, ନିରବର ବହୁତ ଶବ୍ଦ ରହିଛି । ଗଣତାନ୍ତ୍ରିକ ଆନ୍ଦୋଳନକୁ ଦବାଇ ଦେବାକୁ ସରକାର ଚେଷ୍ଟା କରୁଛନ୍ତି । ହେଲେ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛି ବିଜେଡି । ଯେଉଁମାନେ ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସଂପୃକ୍ତ, ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ନ୍ୟାୟ ନଳିବା ଯାଏଁ ଲଢ଼େଇ ଜାରି ରଖିବାକୁ ଚେତାବନୀ ଦେଇଛି ଦଳ । ଏହାସହ ଗଣତାନ୍ତ୍ରିକ ପଦ୍ଧତିରେ ହୋଇଥିବା ଆନ୍ଦୋଳନରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ଦଳୀୟ ନେତା ।

ବାଲେଶ୍ବର ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ସଶକ୍ତ ବିରୋଧୀ ଦଳ ଭାବେ ସରକାରଙ୍କୁ ସିଧା ନିଶାନା କରିଛି ବିଜେଡି । ବିଜେପି କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ଅସୁରକ୍ଷିତ ମଣିଲେଣି ମହିଳା । ନ୍ୟାୟ ପାଇଁ କଲେଜ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ପୋଲିସ ପ୍ରଶାସନକୁ ଗୁହାରୀ କରି ନିରାଶ ହେବା ପରେ ଜୀବନ ହାରିଲେ ପୀଡ଼ିତା । ତେଣୁ ଘଟଣା ପଛରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।