ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆଉ ଏକ ପାଦ
1 min read
ନନ୍ଦିଘୋଷ ବ୍ୟୁରୋ : ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆଉ ଏକ ପାଦ । ଆଜି ତୁର୍କୀରେ ହେବ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । କଥାବାର୍ତ୍ତା ନେଇ ୟୁକ୍ରେନ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ପରିଷଦ ପକ୍ଷରୁ ଏସଂକ୍ରାନ୍ତ ନିଷ୍ପତ୍ତି ହୋଇଛି । ଫଳରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ସାମୟିକ ଅନ୍ତ ଘଟିପାରେ ବୋଲି ଆଶା କରାଯାଉଛି । ସେପଟେ ଶାନ୍ତି ପ୍ରତିଷ୍ଠା ପ୍ରସଙ୍ଗରେ କଥାବାର୍ତ୍ତାକୁ ଗୁରୁତ୍ବ ଦିଆଯିବ ବୋଲି କହିଛି କ୍ରେମଲିନ । କଥାବାର୍ତ୍ତା ଅବସରରେ ବନ୍ଦୀ ବିନିମୟ କାର୍ଯ୍ଯକ୍ରମ ପ୍ରସଙ୍ଗରେ ବି ହୋଇପାରେ ଆଲୋଚନା । ସେପଟେ ଯୁଦ୍ଧ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅତ୍ୟଧିକ ଚାପ ପକାଉଥିବାରୁ ତୁର୍କୀ ବୈଠକରେ ଏକ ବଡ଼ ନିଷ୍କର୍ଷ ଆସିବା ସମ୍ଭାବନା ରହିଛି । ୟୁକ୍ରେନରେ ମାର୍ଶଲ ଆଇନ ଜାରି ରହିଥିବାରୁ ଭୋଲଦିମିର ଜେଲେନସ୍କି ଜଣେ ବୈଧ ଶାସକ ନୁହନ୍ତି ବୋଲି କହିଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଗତ ମେ ୧୬ ଓ ଜୁନ ୨ରେ ୟୁକ୍ରେନ ଓ ରୁଷ ମଧ୍ୟରେ ଇସ୍ତାନବୁଲରେ ଦୁଇ ଥର ଆଲୋଚନା ହୋଇଥିଲା । ଏହି କଥାବାର୍ତ୍ତାର ଫଳ ସ୍ବରୂପ ସହସ୍ରାଧିକ ବନ୍ଦୀଙ୍କୁ ବିନିମୟ କରାଯାଇଥିଲା ।