ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ନୀତିଶଙ୍କୁ ଟାର୍ଗେଟ କଲେ ଚିରାଗ ପାଶଓ୍ବାନ

ନନ୍ଦିଘୋଷ ବ୍ୟୁରୋ: ଆଗକୁ ବିହାର ନିର୍ବାଚନ ହେବାକୁ ଥିବାବେଳେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ଖବରମାନ ନଜର ଆସୁଥିବାବେଳେ ଏବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ ନୀତିଶ କୁମାରଙ୍କ ସରକାରକୁ ଟାର୍ଗେଟ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ବିହାରରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣାମାନ ଘଟୁଛି । କିନ୍ତୁ ପ୍ରଶାସନ ଅପରାଧୀଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବା ଭଳି ହେଉଛି । କାହିଁକି ବିହାରରେ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ବିହାରରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣାମାନ ଘଟିବାରେ ଲାଗିଛି । ତଥାପି ପ୍ରଶାସନ ଏହାକୁ ରୋକିବାରେ ବିଫଳ ହେଉଛି । ଯେଉଁମାନେ ତାଙ୍କ ପରିବାର ଲୋକଙ୍କୁ ହରାଇଛନ୍ତି କେତେ କଷ୍ଟରେ ରହିଥିବେ ତାହା ସମସ୍ତଙ୍କୁ ଜଣା । ପ୍ରଶାସନ ନିଜର ଦୋଷ ମାନୁନଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରି ପାରୁନି । ଏହାସହ ଚିରାଗ କହିଛନ୍ତି କି, ମୁଁ ଦୁଃଖିତ କି, ଏଭଳି ଏକ ସରକାରକୁ ସମର୍ଥନ କରୁଥିଲି । ବିହାରୀମାନେ ସୁରକ୍ଷିତ ନୁହଁନ୍ତି, ସରକାର ସମୟ ଥାଉ ଥାଉ ସଜାଗ ହୁଅନ୍ତୁ । ନିକଟରେ ବିହାରରେ ଦୁଇଟି ବଡ଼ ଘଟଣା ଘଟିଛି । ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଥିବାବେଳେ ଅନ୍ୟଜଣେ ଗ୍ୟାଙ୍ଗଷ୍ଟାରଙ୍କୁ ମେଡିକାଲରେ ମଧ୍ୟ ଗୁଳି କରାଯାଇଛି । ଯାହାକୁ ନେଇ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଉଠିଛି ।