ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ସୋମବାର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ

1 min read

ପୁରୀ : ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ସୋମବାର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ l ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ । ଶ୍ରୀମନ୍ଦିରରେ ମଧ୍ୟାହ୍ଣ ଧୂପ ସମ୍ପନ୍ନ ହୋଇ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ମଇଲମ ନୀତି ଅନୁଷ୍ଠିତ ହେବ । ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଏହାପରେ ଶ୍ରୀଦେବୀ, ଭୂଦେବୀ ଖଟଶେଜ ଘର ବିଜେ କରିବେ । ପରେ ମହାପ୍ରଭୁଙ୍କ ଖସାପଡା ନୀତି ନିମନ୍ତେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ । ମହାପ୍ରଭୁଙ୍କ ଏହା ଗୁପ୍ତନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଖସାପଡ଼ା ନୀତି ସାରି ଦଇତାପତି ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯିବ । ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଖସାପଡ଼ା ନୀତି ପାଇଁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜିମା ଦେଇଥାନ୍ତି । ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇ ଥାନ୍ତି । ଦେଉଳ କରଣ ଦେଇଥିବା ଧଳାକନା, ସହ ଖଳି ଓ କଇଁଥ ଅଠାକୁ ବ୍ୟବହାର କରି ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତନୀତି ସମ୍ପନ୍ନ କରିଥାନ୍ତି । ମହାପ୍ରଭୁଙ୍କ ଏହି ଗୁପ୍ତ ନୀତ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅନୁଷ୍ଠିତ ହେବ । ତେଣୁ ସନ୍ଧ୍ୟା ୬ ଟା ଠାରୁ ରାତିି ୧୦ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।