spot_img

Latest Posts

ଉଡ଼ାନ ଯୋଜନାରେ ଓଡ଼ିଶା ପାଇଁ କଣ ? ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ଆଞ୍ଚଳିକ ଯୋଗାଯୋଗ ଯୋଜନା ବା ଉଡାନ ଯୋଜନାରେ ରାଜ୍ୟର ୩୨ଟି ରୁଟରେ ବିମାନ ସେବା ଚାଲିଛି। ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ ଏହି ସୂଚନା ଦେଇଛନ୍ତି। ଓଡିଶା ଓ ଉତ୍ତର ପୂର୍ବାଞ୍ଚଳ ପାଇଁ ଉଡାନ ଯୋଜନାରେ କେତେ ନୂଆ ଆକାଶ ପଥ ଚିହ୍ନଟ କରାଯାଇଛି ବୋଲି ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ। ଏଥିସହିତ ଉଡାନ ଯୋଜନାରେ ଦିଆଯାଉଥିବା ବଜେଟ ସହାୟତା ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଏୟାରଷ୍ଟ୍ରିପର ଉନ୍ନତିକରଣ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରାଜ୍ୟମାନଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ଉଡାନ ଯୋଜନାରେ ନୂଆ ନୂଆ ଅଞ୍ଚଳକୁ ବିମାନ ସେବାରେ ଯୋଡା ଯାଇଥାଏ। ରାଜ୍ୟମାନଙ୍କ ଆବଶ୍ୟକତା ଓ ଆଗ୍ରହୀ ଏୟାର ଲାଇନ୍ସର ପ୍ରସ୍ତାବକୁ ବିଚାର କରି କେନ୍ଦ୍ର ସରକାର ଏହାକୁ ମଂଜୁରୀ ଦେଇଥାନ୍ତି। ଓଡିଶାରେ ଏବେ ୩୨ଟି ଏବଂ ଉତ୍ତର ପୂର୍ବାଞ୍ଚଳରେ ୯୦ଟି ରୁଟକୁ ମଂଜୁରୀ ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉଡାନ ଯୋଜନାରେ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାରେ ଟାୟାର-ଟୁ ଓ ଟାୟାର-ଥ୍ରୀ ସହରରେ ବିମାନ ସେବା ବୃଦ୍ଧି କରାଯିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ମଧ୍ୟ ଯୋଡା ଯାଇଥାଏ। ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ଏୟାର ଲାଇନ୍ସକୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେଇଥାନ୍ତି। ଏଥିସହିତ ଡିଜିସିଏ ଯାତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିଥାଏ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Latest Posts

Don't Miss