ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନାଁ ଘୋଷଣା: କଥଲ ଶ୍ରେଷ୍ଠ ହିନ୍ଦି ଫିଲ୍ମ, ପୁଷ୍କରାକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଏଥର ଏହି ପୁରସ୍କାରଗୁଡ଼ିକ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପାଇଁ ଦିଆଯାଇଛି । ଏଥର ଜାତୀୟ ପୁରସ୍କାରରେ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପାଇଁ ‘କଥଲ’କୁ ପୁରସ୍କାର ଦିଆଯାଇଛି । ଏହି ଚଳଚ୍ଚିତ୍ରଟି ୧୯ ମଇ ୨୦୨୩ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା । ‘କଥଲ’ରେ ସାନ୍ୟା ମାଲହୋତ୍ରା, ଅନନ୍ତ ଭି ଜୋଶୀ, ବିଜୟ ରାଜ, ରାଜପାଲ ଯାଦବ, ବ୍ରିଜେନ୍ଦ୍ର କାଲା ଏବଂ ନେହା ସରାଫଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଫିଲ୍ମ ‘ଜବାନ’ ପାଇଁ ଶାହରୁଖ ଖାନ ଏବଂ ଫିଲ୍ମ ‘ଟ୍ବେଲଥ ଫେଲ୍’ ପାଇଁ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି । କେରଳ ଫାଇଲ୍ସ ସିନେମା ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ପୁରସ୍କାର ଜିତିଛି ।

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକଙ୍କ କଥା କହିବା, ତେବେ ବୈଭବୀ ମର୍ଚାଣ୍ଟଙ୍କୁ ‘ରକି ରାନୀ କି ପ୍ରେମ କାହାନି’ ଚଳଚ୍ଚିତ୍ରର “ଢ଼ିଣ୍ଡୋରା ବାଜେ”ରେ ଗୀତ ପାଇଁ ପୁରସ୍କାର ମିଳିଛି । ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ “ଆନିମଲ୍” ଚଳଚ୍ଚିତ୍ରକୁ ଏକ ସ୍ୱତନ୍ତ୍ର ଉଲ୍ଲେଖ ମିଳିଛି । ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ‘ବାଗୱନ୍ତ କେଶରୀ’ ସମ୍ନାନିତ ହୋଇଛି । ଶ୍ରେଷ୍ଠ ଅଣ ଫିଚର ଫିଲ୍ମ ପୁରସ୍କାର “ଦି ସାଇଲେଣ୍ଟ ଏପିଡେମିକ୍”କୁ ଦିଆଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର ସ୍କ୍ରିପ୍ଟ ପାଇଁ “ସନଫ୍ଲାୱାର୍ ୱେର୍ ଦି ଫାଷ୍ଟ ୱନ୍ସ ଟୁ ନୋ” ଚଳଚ୍ଚିତ୍ରକୁ ଚୟନ କରାଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର କ୍ରିଟିକ୍ ପୁରସ୍କାର ଉତ୍ପଲ୍ ଦତ୍ତଙ୍କୁ ଦିଆଯାଇଛି ।

ଏହି ଅବସରରେ ଓଡ଼ିଆ ସିନେ ଜଗତକୁ ମିଳିଛି ବଡ଼ ଉପହାର । ଓଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଆସିଛି ଖୁସିର ଖବର । ସବ୍ୟସାଚୀ ମିଶ୍ର ଅଭିନୀତ ‘ପୁଷ୍କରା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ୨୦୨୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ବହୁ ପ୍ରଶଂସା ସାଉଁଟିଥିଲା । ଏହି ଚଳଚ୍ଚିତ୍ରରେ ସବ୍ୟସାଚୀ ମିଶ୍ର ଏବଂ ସୁପ୍ରିୟା ନାୟକ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ । ‘ପୁଷ୍କରା’ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରମେଶ ବାରିକ । ଶଙ୍କର ତ୍ରିପାଠୀ ଏହାର କାହାଣୀ ଏବଂ ସଂଳାପ ଲେଖିଥିଲେ ।