ଆଜି ଶ୍ରାବଣ ଶୁକ୍ଳ ଦଶମୀ; ପୁରୀରେ ପାଳିତ ହେବ ଝୁଲଣ ଯାତ୍ରା

1 min read

ପୁରୀ: ଆଜି ଶ୍ରାବଣ ଶୁକ୍ଳ ଦଶମୀ । ପୁରୀରେ ପାଳିତ ହେବ ଝୁଲଣ ଯାତ୍ରା । ଆଜିଠାରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ୭ଦିନଧରି ପାଳନ ହେବ ଝୁଲଣ ପର୍ବ । ପ୍ରତିବର୍ଷ ପରେ ଚଳିତ ବର୍ଷ ମଧ୍ୟ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡ଼ିରେ ଧୁମଧାମରେ ପାଳିତ ହେବ ଉତ୍ସବ । ଶ୍ରୀମନ୍ଦିର ମୁକ୍ତି ମଣ୍ଡପକୁ କାଠରେ ପାରମ୍ପରିକ ସୋଲ ଜରି ଜମ୍ବୁରା ସହ ଭିନ୍ନଭିନ୍ନ ପଶୁ-ପକ୍ଷୀ, କଳାକୁଞ୍ଜ ନିର୍ମାଣ କରାଯାଇଛି । ଝୁଲଣ କୁଞ୍ଜରେ ବିଜେ କରିବେ ଶ୍ରୀଦେବୀ, ଭୂଦେବୀଙ୍କ ସହ ମଦନ ମୋହନ । ମଣ୍ଡପ ତଳେ ଭୀମ, ଅର୍ଜୁନ ଶୋଭା ମଣ୍ଡନ କରିବା ସହ ଦୁଇ ପାର୍ଶ୍ୱରେ କାଳିୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୋଇଛି ।

ଭିନ୍ନଭିନ୍ନ ପଶୁ-ପକ୍ଷୀ ସହ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାକୁ ଦେଖିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସମେତ ପୁରୀର ପ୍ରସିଦ୍ଧ ମଠ ବାଡ଼ିରେ ମଧ୍ୟ ଝୁଲଣ ଉତ୍ସବ ପାଳନ ହେବ । ବିଭିନ୍ନ ସ୍ଥାନରେ ପାରମ୍ପରିକ ଚମ୍ପୁ, ଛାନ୍ଦ ଓ ପୁରାତନ ଝୁଲଣର ରାସ ଗୀତ ପରିବେଷଣ କରାଯିବ  । ଶ୍ରୀଜଗନ୍ନାଥ ବଲ୍ଳଭ ମଠରେ ଚଳିତବର୍ଷ ଦ୍ୱାପର ଯୁଗ ଆଧାରିତ ଶ୍ରୀକୃଷ୍ଣଙ୍କ ଲୀଳା ଓ ପ୍ରକୃତିର ରଙ୍ଗ ରୂପ ପ୍ରସ୍ତୁତି କରାଯାଇଛି । କୁଞ୍ଜରେ ଶୁଆ ସାରି, ବଣି, ପାରା, ଗୁଣ୍ଡୁଚି ମୂଷା, ଗାଈ, ମାଙ୍କଡ଼ ଆଦି ଖଞ୍ଜାଯାଇଛି  ।