ଆଜି ହେବ ଗୁରୁଜୀ ଶିବୁ ସୋରେନଙ୍କ ଶେଷକୃତ୍ୟ

ନନ୍ଦିଘୋଷ ବ୍ୟୁରୋ: ଆଜି ଆଦିବାସୀଙ୍କ ପ୍ରିୟ ନେତା, ଆଦିବାସୀଙ୍କ ଅଧିକାର ପାଇଁ ଦିନରାତି ଲଢ଼େଇ କରୁଥିବା ଗୁରୁଜୀ ଶିବୁ ସୋରେନଙ୍କ ହେବ ଶେଷକୃତ୍ୟ। ଝାରଖଣ୍ଡ ରାମଗଡ଼ ଜିଲ୍ଲାର ତାଙ୍କ ଜନ୍ମଭୂମି ନେମରାରେ ହେବ ଅନ୍ତିମ ସଂସ୍କାର। ଏନେଇ ନେମରାରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । ବହୁ ରାଜନେତା ଓ କର୍ମୀଙ୍କ ଗହଳି ଚହଳି ଲାଗିରହିଛି । ଗତକାଲି ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଶିବୁ ସୋରେନଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଜୁନ ୧୯ରେ ଶିବୁ ସୋରେନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନେଫ୍ରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତାଙ୍କ ତତ୍ତ୍ଵାବଧାନରେ ସେ ଚିକିତ୍ସିତ ହେଉଥିଲେ । ସେ ଗତକାଲି ଆରପାରିକୁ ଚାଲି ଯାଇଛନ୍ତି। ଝାଡ଼ଖଣ୍ଡ ଆନ୍ଦୋଳନର ପ୍ରମୁଖ ନେତା, ଜେଏମଏମ ର ପ୍ରତିଷ୍ଠାତା ଶିବୁ ସୋରେନ। ତାଙ୍କରି ଦୀର୍ଘ ୪ ଦଶନ୍ଧିର ଆନ୍ଦୋଳନ ଯୋଗୁଁ ଝାଡ଼ଖଣ୍ଡ ରାଜ୍ୟ ଗଠନ ହୋଇପାରିଥିଲା। ସବୁବେଳେ ଆଦିବାସୀଙ୍କ ଅଧିକାର ପାଇଁ ଲଢୁଥିବା ଶିବୁ ସୋରେନଙ୍କୁ ଦିଶୁମ ଗୁରୁ ବୋଲି କୁହାଯାଏ। ବଳିଷ୍ଠ ନେତୃତ୍ଵ ପାଇଁ ତାଙ୍କ ଅନୁଗାମୀମାନେ ତାଙ୍କୁ ଗୁରୁଜୀ ବୋଲି ଡାକନ୍ତି। ଅବିଭକ୍ତ ବିହାରର ଆଦିବାସୀ ଅଞ୍ଚଳରେ ଶିବୁ ସୋରେନଙ୍କ ଅଖଣ୍ଡ ପ୍ରଭାବ ଥିଲା। ତାଙ୍କୁ ଆଦିବାସୀମାନେ ତ୍ରାଣକର୍ତ୍ତା ଭାବେ ଦେଖୁଥିଲେ।୧୯୮୭ରୁ ଜେଏମଏମର ନେତୃତ୍ଵ ନେଇ ୨୦୨୫ ଏପ୍ରିଲ ଯାଏ ଏହାର ସଭାପତି ଥିଲେ ଶିବୁ ସୋରେନ। ସେ ତିନି ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଭାବେ ମଧ୍ୟ କାମ କରିଛନ୍ତି।
ମାର୍ଚ୍ଚ ୨୦୦୫, ଅଗଷ୍ଟ ୨୦୦୮ରୁ ଜାନୁଆରୀ ୨୦୦୯ ଯାଏ ଓ ଡିସେମ୍ବର ୨୦୦୯ରୁ ମେ ୨୦୧୦ ଯାଏ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଶିବୁ ସୋରେନ। ସେ ୨୦୦୪ ରୁ ୨୦୦୬ ମଧ୍ୟରେ ୩ଟି ପୃଥକ ପୃଥକ କାର୍ଯ୍ୟକାଳରେ କେନ୍ଦ୍ର କୋଇଲା କ୍ୟାବିନେଟ୍ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଛଅ ଥର ଲୋକସଭା ସାଂସଦ ଥିଲେ ଶିବୁ। ୧୯୮୦ ରୁ ୨୦୦୫ ଯାଏ ଗୃହର ପ୍ରତିନିଧିତ୍ୱ କରିଥିଲେ। ସେ ତିନି ଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସୋରେନ ଜାନୁଆରୀ ୧୧, ୧୯୪୪ରେ ବର୍ତ୍ତମାନର ଝାଡ଼ଖଣ୍ଡର ନେମରା ଗାଁରେ ଏକ ସାନ୍ତାଳ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ନିଜର ନେତୃତ୍ଵ ଗୁଣ ପାଇଁ ଖୁବ ଶୀଘ୍ର ସେ ରାଜନୀତିରେ ନିଜ ନାଁ କରିପାରିଥିଲେ। କିନ୍ତୁ ବିବାଦ ତାଙ୍କ ପିଛା ଛାଡ଼ିନଥିଲା।
୧୯୭୫ ଚିରୁଡିହ ଗଣହତ୍ୟା, ୧୯୯୪ ମସିହାରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ହତ୍ୟାରେ ତାଙ୍କର ସମ୍ପୃକ୍ତି ଥିବାର ଅଭିଯୋଗ ହୋଇଥିଲା। ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ତାଙ୍କ ନାଁରେ ଭିଜିଲାନସ ମାମଲା ବି ଚାଲିଥିଲା। ନରସିଂହ ରାଓ ସରକାରରେ ଜେଏମଏମ୍ ସାଂସଦ ଲାଞ୍ଚ ନେବା ଶିବୁ ସୋରେନଙ୍କ ପାଇଁ ବେଶ୍ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ବିଭିନ୍ନ ଅପରାଧ ମାମଲା ଓ ରାଜନୈତିକ ଗଣ୍ଡଗୋଳ ସତ୍ତ୍ଵେ ଆଦିବାସୀଙ୍କ ପାଇଁ ଏକପ୍ରକାର ତ୍ରାଣକର୍ତ୍ତା ଥିଲେ ଶିବୁ ସୋରେନ।