ଦକ୍ଷ ହେବେ ବସ୍ତି ପିଲା: ନାମୀ ଦାମୀ କମ୍ପାନୀରେ ପାଇବେ ନିଯୁକ୍ତି

ଦକ୍ଷ ହେବେ ବସ୍ତି ପିଲା। ଦିଶା ଦେଖାଇବ ଲାଇଟ ହାଉସ୍। ଡାଟା ଏଣ୍ଟ୍ରିରୁ ୱେବ ଡିଜାଇନ୍। ନାମୀ ଦାମୀ କମ୍ପାନୀରେ ପାଇବେ ନିଯୁକ୍ତି । ଦକ୍ଷତା ବିକାଶ ଲାଗି ମାଗାଣାରେ ନେବେ ଟ୍ରେନିଂ। ଲାଇଟ ହାଉସରେ ସମୀକ୍ଷା କଲେ କମିଶନର । ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ। ବସ୍ତିର ପିଲାଏ ମାଗଣାରେ ପଢ଼ିବେ ଓ ଶିଖିବେ ଜ୍ଞାନକୌଶଳ। ନିଜର କଳା କୌଶଳ ଜରିଆରେ ରୋଜଗାର ପାଇଁ ବାଛିବେ ନୂଆ ପନ୍ଥା। ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବା ସହିତ ବିକାଶ ଧାରାରେ ସାମିଲ ହେବେ । ଲାଇଟ ହାଉସ ଜରିଆରେ ନିଜର କୌଶଳ ପରଖିବେ ଓ ପ୍ରଶିକ୍ଷଣ ନେବେ। ଲାଇଟ ହାଉସରେ ପିଲାଙ୍କୁ ଦିଆଯିବ କୁଶଳୀ ହେବା ପାଇଁ ୧୧ଟି ଟ୍ରେଡ଼ରେ ପ୍ରଶିକ୍ଷଣ। ଡାଟା ଏଣ୍ଟ୍ରି ଅପରେଟର, ଟାଲି, ଇଲେକ୍ଟ୍ରିସିଆନ, ଟେଲରିଂ, ବିପିଓ, ଫ୍ରଣ୍ଟଅଫିସ ଓ ବିଲିଂ, ଅଫିସ ପରିଚାଳନା, ବ୍ୟୁଟି ପାର୍ଲର, ନର୍ସିଂ ସହାୟିକା, ଜାଭା, ୱେବ ଡିଜାଇନ ଭଳି ୧୧ଟି ଟ୍ରେଡ଼ରେ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ। ଆଜି ଏହି ଲାଇଟ ହାଉସ ବୁଲି ସମୀକ୍ଷା କରିଛନ୍ତି ବିଏମସି କମିଶନର।
ଲାଇଟ ହାଉସରେ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀ ମାନେ ଏହି ଶିକ୍ଷାଦାନ ଗ୍ରହଣ କରିପାରିବେ। ଲାଇଟ ହାଉସରେ ବସ୍ତିର ଯୁବକ ଯୁବତୀ ମାନଙ୍କ ସହିତ ଅନ୍ୟ ମାନେ ବି ତାଲିମ ନେଇ ପାରିବେ । ଫାଉଣ୍ଡେସନ କୋର୍ସ ପ୍ରଥମେ ଦିଆଯିବ। ଏହି କୋର୍ସରେ ୨୨ ଦିନିଆ ସଫ୍ଟ ସ୍କିଲ ପ୍ରୋଗାମ ଦିଆଯିବାର ବ୍ୟବସ୍ଥା ରହିଛି । ପିଲାଙ୍କ ଭିତରେ ଥିବା ପ୍ରତିଭା ବା କୌଶଳକୁ ଦେଖିବା ପରେ ଟ୍ରେଡ଼ ବାଛିବାର ସୁଯୋଗ ମିଳିବ। ଏହା ଦ୍ୱାରା ସ୍ଥାନୀୟ ଯୁବକଙ୍କ ଆର୍ଥିକ ସ୍ଥିତି ସୁଧୁରୀ ପାରିବ ବୋଲି ସ୍ଥାନୀୟ କର୍ପୋରେଟର କହିଛନ୍ତି। ଏବେ ସୁଦ୍ଧା ରାଜଧାନୀ ରେ ଦୁଇ ହଜାର ପିଲାଙ୍କୁ ଟ୍ରେନିଂ ଦିଆଯାଇଛି । ସେଥି ମଧ୍ୟରୁ ୧୨୦୦ ଯୁବକ ଯୁବତୀ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି ।