ହେପାଟାଇଟିସ-ଏରେ ଆକ୍ରାନ୍ତ ଲୋକେ: ଥମିବାର ନାଁ ନେଉନି ଜଣ୍ଡିସ ରୋଗ

1 min read

ବଡ଼ମ୍ବା ବ୍ଲକ ଗୋବିନ୍ଦପୁରରେ ହେପାଟାଇଟିସ-ଏରେ ଆକ୍ରାନ୍ତ ଲୋକେ। ଥମିବାର ନାଁ ନେଉନି ଜଣ୍ଡିସ ରୋଗ। ଆକ୍ରାନ୍ତଙ୍କ ରକ୍ତ ନମୁନାରୁ ହେପାଟାଇଟିସ ରୋଗ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖୋଦ ସ୍ବାସ୍ଥ୍ୟ ବିଭାଗ କହିଲାଣି ଏବେସୁଦ୍ଧା ୩୨ ଜଣ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗାଁରେ ଜଣେ ଜଣ୍ଡିସ ପଜିଟିଭ ବାହାରିବା ପରେ ୩୩ ଜଣଙ୍କର ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ସେଥି ମଧ୍ୟରୁ ୩୨ ଜଣ ଆକ୍ରାନ୍ତ ବାହାରିବାରୁ ଗାଁରେ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ମାଣିଆବନ୍ଧ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ପହଞ୍ଚି ଲୋକଙ୍କ ଚିକିତ୍ସା କରୁଛନ୍ତି । ସେପଟେ ପାଣି ପରୀକ୍ଷା ରିପୋର୍ଟ ଆସିନି ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।

ମାନପୁର ପଞ୍ଚାୟତ ଅଧୀନରେ ଚାଲିଥିବା ପାନୀୟ ଜଳ ଯୋଗାଣ ପାଇପ ବିଭିନ୍ନ ସ୍ଥାନରୁ ଫାଟିଯାଇଛି । ଦୂଷିତ ପାଣି ଯୋଗୁଁ ଜଣ୍ଡିସ ରୋଗ ବ୍ଯାପୁଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି । ତୁରନ୍ତ ପାଇପ ମରାମତି କରିବା ସହ ସମସ୍ତ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ଶ୍ରୀ ବିଜୟ ଦଳବେହେରା । ଏଥିସହ ନିକଟସ୍ଥ ଆୟୁଷ୍ମାନ ସ୍ଵାସ୍ଥ୍ୟ ଆରୋଗ୍ୟ ମନ୍ଦିରରେ ସର୍ବନିମ୍ନ ଦରକାରୀ ଔଷଧ ସାଙ୍ଗକୁ ବ୍ଲିଚିଂ ପାଉଡର ମହଜୁଦ ରଖିବାକୁ କହିଛନ୍ତି । ସେହିପରି ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ମଧ୍ୟ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିଛନ୍ତି । ଦୂଷିତ ପାଣି ଯୋଗୁ ଗାଁରେ ଜଣ୍ଡିସ ବ୍ୟପୁଛି । ତା ସହିତ ଲୋକଙ୍କ ରକ୍ତ ନମୁନାରୁ ହେପାଟାଇଟିସ-ଏ ସଂକ୍ରମଣ ଥିବା ଜଣାପଡ଼ିଲାଣି। ସ୍ଥିତି ଆଗକୁ ଆହୁରି ଭୟଙ୍କର ରୂପ ନେଇପାରେ। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ ବଡ଼ମ୍ବା ଯାଇ ସ୍ଥିତି ନିୟନ୍ତ୍ରଣ ନେଇ ପଦକ୍ଷେପ ନେବାକୁ ସବୁ ମହଲରେ ଦାବି ଉଠିଛି।