ସପ୍ତାହେ ହେବ ଡାକସେବା ଠପ୍: ଗୁରୁତ୍ଵପୂର୍ଣ୍ଣ ସେବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଛନ୍ତି ଲୋକେ

1 min read

ସପ୍ତାହେ ହେବ ଡାକସେବା ଠପ୍ । ଗୁରୁତ୍ଵପୂର୍ଣ୍ଣ ସେବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଛନ୍ତି ଲୋକେ । ନୂତନ ସଫ୍ଟୱେର ଅପଡେଟ ଓ ଇଣ୍ଟରନେଟ ସମସ୍ୟା ପାଇଁ ଏକ ସପ୍ତାହ ହେବ ଚମ୍ପୁଆ ଉପଖଣ୍ଡ ଡ଼ାକଘରେ ଡାକସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଡାକଘରକୁ ଦୈନିକ ରେଜେଷ୍ଟ୍ରି ଚିଠି, ସ୍ପିଡପୋଷ୍ଟ, ଅର୍ଥ ନେଣଦେଣ, ସୁକନ୍ୟା ଯୋଜନା, ଅଟଳ ପେନସନ ଯୋଜନା ତଥା ଆଧାରକାର୍ଡ ପରି ଗୁରୁତ୍ଵପୂର୍ଣ୍ଣ ସେବା ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି ଲୋକେ । ଡାକଘରେ ସେବା ଠପ ହେବାର ପ୍ରଭାବ ଅନେକ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ପ୍ରଭାବିତ କରିଛି । ନିକଟରେ ରାକ୍ଷୀପୂର୍ଣ୍ଣିମା ଥିବା ବେଳେ ଭଉଣୀ ମାନେ ଭାଇମାନଙ୍କ ପାଖକୁ ଡାକ ଯୋଗେ ରାକ୍ଷୀ ପଠାଇ ପାରୁନାହାନ୍ତି । ଚମ୍ପୁଆ ଉପଖଣ୍ଡ ଡାକଘର ସହିତ ଏହି ଉପଖଣ୍ଡରେ ଥିବା ଯୋଡା, ବଡ଼ବିଲ, ଝୁମ୍ପରା ଅଞ୍ଚଳରେ ମଧ୍ୟ ଡାକ ସେବା ଠପ ହୋଇଯାଇଥିବା ହେତୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପେlଷ୍ଟ ମାଷ୍ଟର ।