ଟ୍ରେଣ୍ଡ ପାଲଟିଛି ଛୁଆ ନିଖୋଜ: କାହିଁକି ବଢୁଛି କୋମଳମତି ଶିଶୁଙ୍କ ନିଖୋଜ ସଂଖ୍ୟା ?
1 min read
ପୁଣି ଲକ୍ଷ୍ମୀସାଗର ଅଞ୍ଚଳରୁ ୯ ବର୍ଷର କୁନି ଝିଅ ନିଖୋଜ । ସିସିଟିଭିରେ କଏଦ ହେଲା ନିଖୋଜ ବେଳର ଦୃଶ୍ୟ । କାହିଁକି ବଢୁଛି କୋମଳମତି ଶିଶୁଙ୍କ ନିଖୋଜ ସଂଖ୍ୟା ? ପୂର୍ବ ଶତ୍ରୁତା ଓ ଟଙ୍କା ପାଇଁ ବାଜିରେ ଲାଗୁଛି କି ଛୁଆଙ୍କ ଜୀବନ ? ଏପ୍ରିଲ ମାସ ୧୩ ତାରିଖ । ବିଳମ୍ବିତ ରାତିରେ ଖାରବେଳନଗର ଥାନା ଅନ୍ତର୍ଗତ ରାମମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଠାରୁ ପିଲାଚୋରି । ପରେ ପରେ ଡେଲାଙ୍ଗ ରତନପୁର ଅଞ୍ଚଳରେ ଶିଶୁକୁ ଅପହରଣ । ଏ ଘଟଣା ମନରୁ ନଲିଭୁଣୁ ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚଗାଁରୁ ପୁଣି ଅପହୃତ ହୋଇଥିଲା ଚତୁର୍ଥ ଶ୍ରେଣୀର ପିଲା । ଗତ ୧୯ ତାରିଖରେ ପଳାଶୁଣି ଅଞ୍ଚଳରୁ ୧୧ ବର୍ଷୀୟ ନାବାଳକ ନିଖୋଜ ପରେ ପୁଣି ସମେଇଗାଡ଼ିଆ ଓ ପାହାଳ ଅଞ୍ଚଳରୁ ନିଖୋଜ ୨ ଶିଶୁଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏବେ ପୁଣି ସମାନ ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ଅଞ୍ଚଳରୁ । ବିହାରରୁ ଆସି ଝାରପଡା ଅଞ୍ଚଳରେ ରହି ଏକ ଅଟୋମୋବାଇଲ ସଂସ୍ଥାରେ କାମ କରୁଥିବା ଜାଭେଦ ଅହମ୍ମଦ ନିଜ ଝିଆରୀ ନିଖୋଜ ନେଇ ଥାନାରେ ଏତଲା କରିଛନ୍ତି । ଇଏ ହେଉଛି ନାବାଳିକା ଯିବା ବେଳର ସିସିଟିଭି ଦୃଶ୍ଯ । ଏକାଧିକ ସିସିଟିଭି ଭେରିଫିକେସନ, ହ୍ୟୁମାନ ଇଣ୍ଟେଲିଜେନ୍ସ ସହାୟତାରେ ନିଖୋଜ ପିଲାଟିକୁ ଉଦ୍ଧାର ପାଇଁ ଛାନଭିନ ଆରମ୍ଭ କରିଛି ପୋଲିସ ।
ଚାଇଲ୍ଡ ଟ୍ରାଫିକିଂ କୁ ରୋକିବା ପାଇଁ ଟେକ୍ନିକାଲ ସପୋର୍ଟ ଏଜେନ୍ସି ପକ୍ଷରୁ ଗଠନ ହୋଇଛି ସ୍ପେଶାଲ ସେଲ । କୋର୍ଟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା କୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଶିଶୁ ନିଖୋଜ ହେଲେ ଅଧଘଣ୍ଟା ଭିତରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖୋଜିବା ସହ ସମସ୍ତ ଥାନାକୁ ଫଟୋ ପଠାଯିବ । ଜନଗହଳିପୂର୍ଣ ସ୍ଥାନରେ ପ୍ରଚାର କରାଯିବ । ପିଲା ନିଖୋଜ ହେଲେ ତୁରନ୍ତ ମିସିଂ ଚାଇଲ୍ଡ ପୋର୍ଟାଲରେ ପଞ୍ଜିକୃତ କରିବା ସହ ତଦନ୍ତକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏତେ ସବୁ ପରେ ମଧ୍ୟ ବାରମ୍ବାର ପିଲା ନିଖୋଜ ଖବର ଆସିବା ପୋଲିସ ପାଇଁ ବେଶ ଚ୍ୟଲେଞ୍ଜ ଆଣିଛି । ଆର୍ଥିକ ଅନଟନ, ଶିକ୍ଷାର ଅଭାବ, ଦାଦନ ପାଇଁ ଅଧିକାଂଶ ସମୟରେ ବାପା ମାଆଙ୍କ ଜାଣତରେ ପିଲା ବିକ୍ରି ହେଉଥିବା କହିଛନ୍ତି ରୁଚିକା childline ନିର୍ଦ୍ଦେଶକ । ତଥ୍ୟ ମୁତାବକ, ରାଜ୍ୟରେ ଥିବା ୬୪୯ ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ପାଇଁ ପ୍ରସ୍ତାବ ରହିଛି । ତ୍ୱରିତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରିବା ଦ୍ୱାରା ଅଭିଯୁକ୍ତଙ୍କ ପାଖରେ ପୋଲିସ ଶୀଘ୍ର ପହଁଚିବା ସହ କୋମଳମତି ଶିଶୁଙ୍କୁ ଉଦ୍ଧାର କରିପାରିଛି ।