ନିଶାରେ ଶୋଇପଡ଼ିଲେ ଆମ୍ବୁଲାନ୍ସ ଡ୍ରାଇଭର, ଅଧାବାଟରେ ଅଟକିଲେ ରୋଗୀ

1 min read

ନନ୍ଦିଘୋଷ ବ୍ୟୁରୋ : ନିଶାରେ ଶୋଇପଡ଼ିଲେ ଡ୍ରାଇଭର । ଅଧାବାଟରେ ଅଟକିଲେ ରୋଗୀ । ଜଣେ ଗର୍ଭବତୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇ ପଡ଼ିଛନ୍ତି । ଡ୍ରାଇଭର ମଦ୍ୟପାନ ଯୋଗୁଁ ଅଧା ରାସ୍ତାରେ ଅଟକିଥିଲା ଗର୍ଭବତୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ । ସୂଚନାନୁଯାୟୀ ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ କାନିକିପଦର୍ ଗାଁର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ  । ହେଲେ ଗର୍ଭସ୍ତ ଶିଶୁର ଅବସ୍ଥା ଭଲ ନଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର MKCG ମେଡ଼ିକାଲକୁ ସ୍ତାନାନ୍ତର କରିଥିଲେ ।୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ଯିବା ବେଳେ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ବେପରୁଆ ଗାଡ଼ି ଚାଳନା ସହ ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଦେଇ ଡ୍ରାଇଭର ଜଣଙ୍କ ଗାଡ଼ିରେ ଶୋଇ ପଡିଥିଲେ  । ଏପରିକି ପରିବାର ଲୋକେ ତାଙ୍କୁ ଉଠାଇବା ପରେ ମଧ୍ୟ ସେ ଉଠି ନଥିଲେ  । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ବିଳମ୍ୱିତ ରାତିରେ ଅନ୍ୟ ଏକ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ । ଅନ୍ୟପଟେ ଡ୍ରାଇଭର ଅଜିତ ଶତୃଶଲ୍ୟ ମଦ୍ୟପାନ କଥାକୁ ଖଣ୍ଡନ କରିଛନ୍ତି। ଧାରାବାହିକ ପରିଶ୍ରମ ଯୋଗୁଁ ଅଳ୍ପ ସମୟ ବିଶ୍ରାମ ନେଇଥିଲେ। ବିଶ୍ରାମନେବା ବିଷୟକୁ ଏପରି ଅପପ୍ରଚାର କରାଯାଇଥିବା କହିଛନ୍ତି ସମ୍ପୃକ୍ତ ଡ଼୍ରାଇଭର।