ଉଦୟପୁର ଫାଇଲ୍ସକୁ ଦେଖି ଲୁହ ସମ୍ଭାଳିପାରିଲେନି କହ୍ନେୟାଲାଲଙ୍କ ପରିବାର ..

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର କହ୍ନେୟାଲାଲଙ୍କ ହତ୍ୟା ମାମଲା ଉପରେ ଆଧାରିତ ‘ଉଦୟପୁର ଫାଇଲ୍ସ’ ଫିଲ୍ମଟି ସାରା ଦେଶରେ ମୁକ୍ତିଲାଭ କରିଛି । ଏହି ଫିଲ୍ମର ମୁକ୍ତିଲାଭକୁ ରୋକିବା ପାଇଁ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କେସ୍ ଦାୟର କରାଯାଇଥିଲା । ଅନେକ ଦୃଶ୍ୟ କଟ୍ ପରେ ଶେଷରେ ଫିଲ୍ମଟି ମୁକ୍ତିଲାଭ କରିଛି। ଏହାସହିତ କହ୍ନେୟାଲାଲ ସାହୁଙ୍କ ପୁଅ ୟଶ ଏବଂ ତରୁଣ ମଧ୍ୟ ଉଦୟପୁରର ଅର୍ବାନ୍ ସ୍କୋୟାର ମଲରେ ଏହି ସିନେମା ଦେଖିବାକୁ ଆସିଥିଲେ। ଯେତେବେଳେ ଫିଲ୍ମରେ କହ୍ନେୟାଲାଲଙ୍କ ବେକ କାଟିବାର ଦୃଶ୍ୟ ଆସିଥିଲା ସେତେବେେଳେ ଉଭୟ ପୁଅ ନିଜ ଲୁହକୁ ରୋକିପାରି ନଥିଲେ । ଏହାକୁ ଦେଖି ଫିଲ୍ମର ପ୍ରଯୋଜକ ଏକ ବଡ଼ ଘୋଷଣା କରିଛନ୍ତି।

ସବୁ ଲାଭ କହ୍ନେୟାଲାଲଙ୍କ ପରିବାରର

ପ୍ରଯୋଜକ ଅମିତ ଜାନି ସୋସିଆଲ ମିଡିଆରେ କହ୍ନେୟାଲାଲଙ୍କ ପୁଅମାନଙ୍କ କାନ୍ଦର ଏକ ଭିଡିଓ ସେୟାର କରିଛନ୍ତି । ଏହାସହିତ ସେ ଫିଲ୍ମକୁ ହିଟ୍ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ପ୍ରଯୋଜକ ଘୋଷଣା କରିଛନ୍ତି ଯେ ଉଦୟପୁର ଫାଇଲ୍ସର ଟଙ୍କା କହ୍ନେୟାଲାଲଙ୍କ ପରିବାରକୁ ଯିବ। ପ୍ରଯୋଜକ ପୋଷ୍ଟ କରି ଲେଖିଛନ୍ତି ଯେ ଏହା କହ୍ନେୟାଲାଲ ଜୀଙ୍କ ପୁଅ, ଭାଇମାନଙ୍କର ଲୁହର ମୂଲ୍ୟ ବୁଝନ୍ତୁ । ମୋତେ ଗୋଟିଏ ସପ୍ତାହରେ ଏତେ ପଇସା ଆବଶ୍ୟକ ଯେ ମୁଁ ତାଙ୍କ ପରିବାରକୁ ୫୦ କୋଟିର ଚେକ୍ ଦେଇପାରିବି…  ଉଦୟପୁର ଫାଇଲ୍ସର ସବୁ ଟଙ୍କା କହ୍ନେୟାଲାଲଙ୍କ ପରିବାରକୁ ଯିବ।

ମୁକ୍ତିଲାଭ ପାଇଁ ସୁପ୍ରିମକୋର୍ଟରେ ଲଢେଇ

ଉଦୟପୁର କହ୍ନେୟାଲାଲଙ୍କ ହତ୍ୟା ମାମଲା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ଶୁଣାଣିର ସମ୍ମୁଖୀନ ହୋଇଥିଲା। ସୁପ୍ରିମକୋର୍ଟ ଚଳଚ୍ଚିତ୍ରରୁ ଅନେକ ଦୃଶ୍ୟ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ରୋକ ଲଗାଇଥିଲେ। ତଥାପି ସୁପ୍ରିମକୋର୍ଟ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ କି ନାହିଁ ତାହାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ଛାଡି ଦେଇଥିଲେ ଯାହା ପରେ ଚଳଚ୍ଚିତ୍ରଟି ଅଗଷ୍ଟ ୮ ତାରିଖରେ ମୁକ୍ତିଲାଭ କରିଛି ।

ଉଦୟପୁର ଫାଇଲ୍ସ କାହା ଉପରେ ତିଆରି ହୋଇଛି ?

ଦର୍ଜୀ ଭାବରେ କାମ କରୁଥିବା କହ୍ନେୟାଲାଲଙ୍କୁ ଜୁନ ୨୦୨୨ରେ ରାଜସ୍ଥାନର ଉଦୟପୁରରେ ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ସେହି ସମୟରେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ଦ୍ୱାରା ପୟଗମ୍ବର ମହମ୍ମଦଙ୍କ ବିଷୟରେ ଏକ ବୟାନକୁ ନେଇ ବହୁତ ବିବାଦ ହୋଇଥିଲା। କହ୍ନେୟାଲାଲ ସୋସିଆଲ ମିଡିଆରେ ନୁପୁରଙ୍କୁ ସମର୍ଥନ କରି ଏକ ପୋଷ୍ଟ ସେୟାର କରିଥିଲେ, ଯାହା ପରେ ମହମ୍ମଦ ରିଆଜ ଏବଂ ମହମ୍ମଦ ଗୌସ ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ।